




ସମ୍ବଲପୁର,୦୧, ଏପ୍ରିଲ୍ (ହି.ସ.)ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସମ୍ବଲପୁର ଡିଭିଜନର ଓଡ଼ିଶା ପୋଲିସ ହାଉସିଂ ଏଣ୍ଡ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ବିଦ୍ୟୁତ୍ ରଞ୍ଜନ ଭୋଳଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ସମ୍ବଲପୁର ରେଲୱେ ଷ୍ଟେସନ୍ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ଯାଞ୍ଚ କରିବାରେ ତାଙ୍କ ପାଖରୁ ନଗଦ ୫,୧୮,୯୦୦ ଟଙ୍କା ଜବତ କରାଯାଇଥିଲା। ଏହି ଟଙ୍କାର ହିସାବ ଓ ବୈଧତା ନେଇ କୌଣସି ସଠିକ୍ ଉତ୍ତର ସେ ଦେଇ ନପାରିବାରୁ ଏହାକୁ ଅବୈଧ ଅର୍ଜନ ବୋଲି ଭିଜିଲାନ୍ସ ବିଭାଗ ମନେ କରିଥିଲା । ପରେ ପରେ ସନ୍ଦେହ ଅଧିକ ଘନୀଭୂତ ହେବାରେ ଶ୍ରୀ ଭୋଳଙ୍କର
ସମ୍ବଲପୁର, ଭୁବନେଶ୍ୱର ଓ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ତଲାସୀ ସମୟରେ ଶ୍ରୀ ଭୋଳ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ବିପୁଳ ପରିମାଣର ସ୍ଥାବର ଅସ୍ଥାବର ସମ୍ପତ୍ତିର ସୁରାକ୍ ମିଳିଥିଲା । ଭିଜିଲାନ୍ସ ବିଭାଗ ଜବତ କରିଥିବା ସମ୍ପତ୍ତିର ବିବରଣୀ ଅନୁଯାୟୀ ୨ଟି ବହୁତଳ ଭବନ,
ଭୁବନେଶ୍ୱରରେ ଗୋଟିଏ ଫ୍ଲାଟ, ଜଟଣୀ ଓ ବ୍ରହ୍ମପୁର ସମେତ ଅନ୍ୟାନ୍ୟ ସ୍ଥାନରେ କେବଳ ୨୯ଟି ପ୍ଲଟ୍ ଠାବ ହୋଇଥିଲା । ଏଥିସହ ୧.୧୪୦ କିଲୋଗ୍ରାମ ସୁନା (୬ଟି ସୁନା କଏନ୍ ଓ ୨ଟି ବିସ୍କୁଟ), ନଗଦ ୪୮ ଲକ୍ଷ ,୭୯ ହଜାର ୧୦୦ ଟଙ୍କା, ୩୦ ଲକ୍ଷ ଟଙ୍କା ଡିପୋଜିଟ୍ ଓ ଅନ୍ୟାନ୍ୟ ନିବେଶ ଯାହା ଯାଞ୍ଚ ଅଧୀନରେ ରହିଛି । ଏ ସମ୍ପର୍କରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ୦୩/୨୬ରେ ଦୁର୍ନୀତି ନିବାରଣ (ସଂଶୋଧିତ) ଆଇନ, ୨୦୧୮ ଅଧୀନରେ ଏକ ମାମଲା ରୁଜୁ କରାଯାଇଛି। ଆଜି ଶ୍ରୀ ଭୋଳଙ୍କୁ ଗିରଫ କରାଯାଇ ସମ୍ବଲପୁର ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଛି । ସୂଚନାଯୋଗ୍ୟ ଶ୍ରୀ ଭୋଳ ୦୧.୦୮.୧୯୯୮ରେ ବ୍ରହ୍ମପୁରରେ ସହାୟକ ପ୍ରକଳ୍ପ ପ୍ରବନ୍ଧକ ଭାବେ ବିଭାଗରେ ମାତ୍ର ୭ ହଜାର ଟଙ୍କା ବେତନରେ ସରକାରୀ ସେବାରେ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ