
ଭଦ୍ରକ, ୧ ଅପ୍ରେଲ (ହି.ସ.) - ଏହି ଜିଲାର ଧାମନଗର ପି.ଏମ୍.ଶ୍ରୀ ହାଇସ୍କୁଲ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧାମନଗର ଅତିରିକ୍ତ ତହସିଲଦାର ପଲିଭାରତ ମହାଳିକ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ପ୍ରଦାନ କରିବା ସହ ସେମାନଙ୍କ କର୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ନିଜ ଅଭିଭାଷଣରେ ଅତିରିକ୍ତ ତହସିଲଦାର ଶ୍ରୀ ମହାଳିକ କହିଥିଲେ ଯେ, ଛାତ୍ର ଜୀବନ ହେଉଛି ସମଗ୍ର ଜୀବନର ଭିତିଭୂମି। କେବଳ ପାଠ ପଢିବା ଛାତ୍ରର ଧର୍ମ ନୁହେଁ, ବରଂ ଜଣେ ସୁନାଗରିକ ଭାବେ ନିଜର କର୍ତବ୍ୟ ସମ୍ପାଦନ କରିବା ହିଁ ପ୍ରକୃତ ଶିକ୍ଷା। ସେ ଆହୁରି ମଧ୍ୟ କହିଥିଲେ ଯେ, ସମୟାନୁବର୍ତିତା ଓ ଶୃଙ୍ଖଳା ଜଣେ ସାଧାରଣ ଛାତ୍ରକୁ ଜୀବନରେ ଶୀର୍ଷ ସ୍ଥାନରେ ପହଂଚାଇଥାଏ। ସମାଜ ପ୍ରତି ନିଜର ଦାୟିତ୍ୱବୋଧ ରଖିବାକୁ ସେ ପରାମର୍ଶ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମିର ଗୋସ୍ୱାମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ,ଧାମନଗର ଥାନା ଅଧିକାରୀ ଶୁଭ୍ରଜିତି ଦାସ,ମନ୍ତ୍ରୀଙ୍କ ପ୍ରତିନିଧି କୈଳାଶ ମହାପାତ୍ର,ସଂସଦ ପ୍ରତିନିଧି ସରୋଜ ମହାପାତ୍ର,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରହଲ୍ଲାଦ ମହାପାତ୍ର,ପୁରାତନ ଛାତ୍ର ମହେଶ୍ୱର ସ୍ୱାଇଁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସମସ୍ତ ଅତିଥି ବିଦ୍ୟାଳୟର ଶିକ୍ଷାଦାନ ଶୈଳୀ ଓ ଛାତ୍ରଙ୍କ ଶୃଙ୍ଖଳାକୁ ଉଚ୍ଚ ପ୍ରଶଂସା କରିଥିଲେ।ଉତ୍ସବର ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ସ୍ୱାଗତ ସଙ୍ଗୀତ ଓ ମନୋରମ ନୃତ୍ୟ ମାଧ୍ୟମରେ ଅଭିନନ୍ଦନ ଜଣାଇଥିଲେ। କାର୍ଯ୍ୟକ୍ରମ ଶେଷରେ ବାର୍ଷିକ କ୍ରୀଡ଼ା ଓ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ