
ବଲାଙ୍ଗିର, 01 ଏପ୍ରିଲ୍ (ହି.ସ.)
ଓଡ଼ିଶା ପୋଲିସର ୯୧ତମ ପ୍ରତିଷ୍ଠା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲା ପୋଲିସର ଜଣେ ଦକ୍ଷ ଓ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଏଏସଆଇ (ASI) ଶ୍ରୀ ବୈକୁଣ୍ଠ ଦେହୁରୀଙ୍କୁ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ସ୍ୱତନ୍ତ୍ର ମାନପତ୍ର ଓ ଅର୍ଥରାଶି ଦେଇ ସମ୍ମାନିତ କରାଯାଇଛି।
ଶ୍ରୀ ଦେହୁରୀ ୧୮ ଅକ୍ଟୋବର ୧୯୮୦ ମସିହାରେ ପୋଲିସ ବିଭାଗରେ ଜଣେ କନେଷ୍ଟବଳ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ତାଙ୍କର କାର୍ଯ୍ୟଦକ୍ଷତା ଓ ନିଷ୍ଠା ଯୋଗୁଁ ୨୬ ଜୁଲାଇ ୨୦୧୧ରେ ସେ ସହକାରୀ ଉପ-ନିରୀକ୍ଷକ (ASI) ଭାବେ ପଦୋନ୍ନତି ପାଇଥିଲେ। ନିଜର ଦୀର୍ଘ ଚାକିରି କାଳ ମଧ୍ୟରେ ସେ ୩୨ଟି ଗୁଡ୍ ସେବା ମାର୍କ, ୬ଟି ପ୍ରଶଂସା ପତ୍ର ଏବଂ ୧୨ଟି ନଗଦ ଅର୍ଥ ପୁରସ୍କାର ପାଇ ବିଭାଗ ପାଇଁ ଗୌରବ ଆଣିଛନ୍ତି।
୨୦୧୫ର ଶ୍ରେଷ୍ଠ ଏଏସଆଇ ଭାବେ ମାନ୍ୟତା
ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଶ୍ରୀ ଦେହୁରୀଙ୍କ ନିରନ୍ତର ସେବା ଓ କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ୨୦୧୫ ବର୍ଷର ଜିଲ୍ଲାର ଶ୍ରେଷ୍ଠ ଏଏସଆଇ ଭାବେ ବିବେଚନା କରାଯାଇଥିଲା। ଆଜି ପୋଲିସ ପ୍ରତିଷ୍ଠା ଦିବସର ଏହି ପବିତ୍ର ଅବସରରେ ବଲାଙ୍ଗୀର ଜିଲ୍ଲା ପୋଲିସ ପାଇଁ ତାଙ୍କର ଅବଦାନକୁ ଅତୁଳନୀୟ ବୋଲି ବର୍ଣ୍ଣନା କରାଯାଇଛି।
ତାଙ୍କର ଏହି ସଫଳତା ପାଇଁ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ