
ଝାରସୁଗୁଡା, 01 ଏପ୍ରିଲ୍ (ହି.ସ.) ଝାରସୁଗୁଡା ଜିଲ୍ଲା ଦ୍ୱିତୀୟ ବାଟାଲିୟନ ପରେଡ୍ ଗ୍ରାଉଣ୍ଡରେ ଆଜି ୯୧ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ସହ ଓଡିଶା ଦିବସ ଉତ୍ସାହ ଓ ଗରିମାର ସହିତ ପାଳନ କରାଯାଇଛି। ଝାରସୁଗୁଡା ପୋଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ଓଏସଏପି ଦ୍ୱିତୀୟ ବାଟାଲିୟନର କମାଣ୍ଡାଣ୍ଟ ପ୍ରସାଦ ତମଙ୍ଗ ସମେତ ପୋଲିସର ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ପ୍ରଥମେ ସହିଦ ପୋଲିସ ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସେମାନଙ୍କର ଅତୁଳନୀୟ ବଳିଦାନକୁ ସ୍ମରଣ କରାଯାଇଥିଲା।କାର୍ଯ୍ୟକ୍ରମରେ ଏସପି ରାଘବେନ୍ଦ୍ର କହିଥିଲେ ଯେ, ପୋଲିସ ବିଭାଗ ସଦା ଜନସେବା ଓ ସୁରକ୍ଷାକୁ ପ୍ରାଥମିକତା ଦେଇ କାମ କରିବ। ସେହିପରି ଜିଲ୍ଲାରେ ଆଇନ ଶୃଙ୍ଖଳାକୁ ସୁସ୍ଥ ରଖିବା ପାଇଁ ସମସ୍ତେ ସଚେତନ ଓ ପ୍ରତିବଦ୍ଧ ରହିବେ ବୋଲି ସେ ଉଲ୍ଲେଖ କରିଥିଲେ। ଶେଷରେ ଦେଶ ସେବାରେ ନିଯୁକ୍ତ ପୋଲିସ ବଳର ତ୍ୟାଗ ଓ ନିଷ୍ଠାକୁ ସମ୍ମାନ ଜଣାଇ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ