
ଭଦ୍ରକ, ୧ ଅପ୍ରେଲ (ହି.ସ.) - ଦୀର୍ଘ ୧୬ ବର୍ଷ ଧରି ବିବାଦ ଘେରରେ ଥିବା ସନ୍ଥିଆ ଗାଁର ସାଳନ୍ଦୀ ନଦୀକୂଳରେ ଥିବା ହନୁମାନ ମନ୍ଦିରର ଛାତ ଆଜି ପଡିଲା। ଗତକାଲି ସନ୍ଧ୍ୟାରେ ଏ ନେଇ ପୁଲିସ୍ ପ୍ରଶାସନର ସନ୍ଥିଆ ଗ୍ରାମବାସୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ସକାଳେ ସାଧୁସନ୍ଥ ଓ ଗ୍ରାମବାସୀଙ୍କ ଗହଣରେ ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ମନ୍ଦିର ସ୍ଥଳରେ ହୋମଯଜ୍ଞ ସହ ପତାକା ବନ୍ଧାଯିବା ପରେ ପରେ ଛାତ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ମହାପାତ୍ର କହିଥିଲେ ଯେ ଆଜି ଧର୍ମର ବିଜୟ ହେବା ସହ ସନ୍ଥିଆ ଗ୍ରାମବାସୀଙ୍କୁ ନ୍ୟାୟ ମିଳିଛି। ତୁଷ୍ଟୀକରଣ ଭୋଟ ରାଜନୀତି ଯୋଗୁଁ ମନ୍ଦିର ନିର୍ମାଣ କାର୍ଯ୍ୟ ହୋଇପାରିନଥିଲା। ହନୁମାନଙ୍କୁ ଏଠାରେ ଅପେକ୍ଷା କରିବାକୁ ପଡିଥିଲା। ଆଜି ହନୁମାନଙ୍କ ଆଶୀର୍ବାଦ ଗ୍ରାମବାସୀଙ୍କୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମନ୍ଦିର ନିର୍ମାଣ କାର୍ଯ୍ୟକୁ ନେଇ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ମାମଲା କୋର୍ଟକୁ ଯାଇଥିଲା। ଏହି ସମ୍ବେଦନଶୀଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ଏହି ମନ୍ଦିର ନିର୍ମାଣ ସ୍ଥଳରେ ସେହିଦିନ ଠାରୁ ଆଜିପର୍ଯ୍ୟନ୍ତ ୧୬ ବର୍ଷ ଧରି ୱାନ୍ ଫର ସେକ୍ସନ ପୁଲିସ୍ ଫୋର୍ସ କ୍ୟାମ୍ପ କରି ଦିନରାତି ଜଗିଥିଲେ। ପରବର୍ତୀ ସମୟରେ ବିବାଦ ଘେରରେ ଥିବା ଏହି ମନ୍ଦିର ନିର୍ମାଣକୁ ନେଇ କୋର୍ଟରେ ମାମଲା ରୁଜୁ କରାଯାଇଥିଲା। ତେବେ ଆଜି ହନୁମାନ ମନ୍ଦିରର ଛାତ ପଡିବା ପାଇଁ ସନ୍ଥିଆ ଗ୍ରାମବାସୀଙ୍କ ଗହଣରେ ନଗର ସଂକୀର୍ତନ, ହୋମଯଜ୍ଞ କରାଯାଇଥିଲା। ଫଳରେ ଏହି ଅଂଚଳଟି ଆଧ୍ୟାତ୍ମିକ ପରିବେଶରେ ଗମ୍ଭୀର ହୋଇପଡିଥିଲା। ଶାନ୍ତିଶୃଙ୍ଖଳା ଭଙ୍ଗକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ଛାତ ନିର୍ମର୍ାଣ କାର୍ଯ୍ୟ ସମୟରେ ଅତିରିକ୍ତ ଏସ୍ପି ଅଂଶୁମାନ ଦ୍ୱିବେଦୀ ଓ ଅରୂପ ଅଭିଷେକ ବେହେରା, ସିଟି ଡିଏସ୍ପି ଅନୀଲ ପ୍ରଧାନ, ଭଦ୍ରକ ସହରାଂଚଳ ଥାନା, ସାଇବର ଥାନା, ପୁରୁଣାବଜାର ଥାନାଧିକାରୀଙ୍କ ସମେତ ପୁଲିସ୍ ଫୋର୍ସ ମୁତୟନ ଥିଲେ। ଅନୁଷ୍ଠିତ ଉତ୍ସବରେ ବିଜେପି ର ଜିଲ୍ଲା ସଭାପତି ଭଗବାନ ପଣ୍ଡା, ବଜରଙ୍ଗ ଦଳ ର ପୂର୍ବତନ ରାଜ୍ୟସଭାପତି ମାନସ କୁମାର ମହାନ୍ତି, ବିଶ୍ୱ ହିନ୍ଦୁ ପରିଷଦର ସଂପାଦକ ସଙ୍ଘ ର କାର୍ଯ୍ୟ କର୍ତାଙ୍କ ସମେତ ସନ୍ଥିଆ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ