
ରାୟଗଡ଼, 01 ଏପ୍ରିଲ୍ (ହି.ସ.) : ଛତିଶଗଡ଼ର ରାୟଗଡ଼ ସହରରେ ଉତ୍କଳ ସେବା ସମିତି ପକ୍ଷରୁ ବୁଧବାର ଉତ୍କଳ ଦିବସ ଧୁମଧାମରେ ପାଳନ କରାଯାଇଛି। ସ୍ଥାନୀୟ ବାବା ପ୍ରିୟଦର୍ଶୀ ରାମ ଅଡିଟୋରିୟମ୍, ପଞ୍ଜରୀ ପ୍ଲାଣ୍ଟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାନୁଭାବମାନେ ଯୋଗଦାନ କରିଥିଲେ।
କାର୍ଯ୍ୟକ୍ରମରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବାବେଳେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ରାୟପୁର ଉତ୍ତର ବିଧାୟକ ପୁରନ୍ଦର ମିଶ୍ର ଓ ରାୟଗଡ଼ ମେୟର ଜିଧାନ ଚୌହାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉତ୍କଳ ସାଂସ୍କୃତିକ ସେବା ସମିତିର ଅଧ୍ୟକ୍ଷ ପ୍ରକାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାକୁ ସମ୍ପାଦକ ପ୍ରତାପ ରାଉତ ସମନ୍ୱୟ କରିଥିଲେ।
ଅବସରରେ ଅତିଥିମାନେ ଉତ୍କଳ ଦିବସର ମହତ୍ତ୍ୱ ଉପରେ ନିଜ ମତ ପ୍ରକାଶ କରିଥିଲେ। ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ ଯେ ଓଡ଼ିଆ ଭାଗବତର ଛତିଶଗଡ଼ୀ ଅନୁବାଦ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବା ଏକ ସ୍ମରଣୀୟ ପଦକ୍ଷେପ। ସେ ଏହାକୁ ଦୁଇ ରାଜ୍ୟର ସାଂସ୍କୃତିକ ସମ୍ପର୍କର ଦୃଢତାର ପ୍ରତୀକ ବୋଲି କହିଥିଲେ।
ସେ ଆହୁରି କହିଥିଲେ ଯେ ମଧୁସୂଦନ ଦାସ ଓ ଫକୀର ମୋହନ ସେନାପତିଙ୍କ ତ୍ୟାଗ ଓ ଅବଦାନ ଫଳରେ ଓଡିଶା ଭାଷାଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠିତ ହୋଇପାରିଛି। ଓଡିଶା ଓ ଛତିଶଗଡ଼ ମଧ୍ୟରେ ଥିବା ଅନ୍ତରଙ୍ଗ ସମ୍ପର୍କ ଅତ୍ୟନ୍ତ ନିବିଡ଼ ବୋଲି ସେ ଉଲ୍ଲେଖ କରିଥିଲେ।
ଅନ୍ୟ ଅତିଥିମାନେ ମଧ୍ୟ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଇତିହାସର ଗୌରବ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଓଡିଶା ଓ ଛତିଶଗଡ଼ର ବିଭିନ୍ନ ବିଦ୍ୱାନ, ସମାଜସେବୀ ଓ ସଂସ୍କୃତିପ୍ରେମୀମାନେ ଉପସ୍ଥିତ ଥିଲେ
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ