
ଶିକ୍ଷା ହେଉଛି ଏକ ସମୃଦ୍ଧ ଓ ସଶକ୍ତ ସମାଜର ମୂଳ ଆଧାର- ନଗରପାଳ ଶୁଭେନ୍ଦୁ ସାହୁ
ରାଷ୍ଟ୍ରବାଦୀ ହୁଅ- ଦିଲ୍ଲୀପ ଦାସ
ଯେତେ ଭାଷା ....ମାତୃଭାଷାକୁ ଆଗରେ ରଖ
ଭୁବନ,୦୧ ଏପ୍ରିଲ୍(ହି.ସ.) – ଢ଼େଙ୍କାନାଳ ଜିଲ୍ଲା ଭୁବନର ପ୍ରେଷ୍ଟିଜିୟସ(ସମ୍ଭ୍ରାନ୍ତ) ଶିକ୍ଷାକେନ୍ଦ୍ର ଭାବେ ପରିଚିତ ସେଂଟ ଜାଭିୟର୍ସ ପବ୍ଲିକ ସ୍କୁଲର ଦଶମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ ଏଲୋରା ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଶିକ୍ଷା ହେଉଛି ଏକ ସମୃଦ୍ଧ ଓ ସଶକ୍ତ ସମାଜର ମୂଳ ଆଧାର। ବଡ଼ ହେବା ପାଇଁ ସ୍ୱପ୍ନ ଦେଖ, ସ୍ୱପ୍ନ ବିଳାସୀ ହୁଅ, ଆଉ ସେହି ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କର। କାରଣ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି ମତବ୍ୟକ୍ତ କରିଥିଲେ। ଜାଭିୟର୍ସ ସ୍କୁଲର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ଦାସଙ୍କ ଦୃଢ଼ ପ୍ରୟାସ ଏହି ସଂସ୍ଥାକୁ ଏକ ଉତ୍କୃଷ୍ଟ ଶିକ୍ଷାକେନ୍ଦ୍ରରେ ପରିଣତ କରିପାରିଛି ବୋଲି ମତ ଦେଇ ଧନ୍ୟବାଦ ଜଣାଇଥିଲେ।
ମୁଖ୍ୟବକ୍ତା ଭାବେ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଯୋଗଦେଇ କହିଥିଲେ ଯେ, ଆଜିର ଶିଶୁ କାଲିର ନାଗରିକ ଓ ଦେଶର ଭବିଷ୍ୟତ। ଡାକ୍ତର, ଇଂଜିନିୟର କି ପ୍ରଫେସର ଯାହାବି ହୁଅ କିନ୍ତୁ ରାଷ୍ଟ୍ରବାଦୀ ହୁଅ। ଦେଶପାଇଁ ସମର୍ପିତ ହେବାକୁ ଉତ୍ସାହ ବର୍ଦ୍ଧକ ଅଭିଭାଷଣ ପ୍ରଦାନ କରିଥିଲେ। ଜାଭିୟର୍ସ ସ୍କୁଲର ଛାତ୍ର ଛାତ୍ରୀମାନେ ଜାତୀୟ, ଅନ୍ତର୍ଜାତୀୟ ଅଲମ୍ପିଆଡରେ ସଫଳତା ହାସଲ କରି ବିଦ୍ୟାଳୟ ଏବଂ ସ୍ଥାନୀୟ ଅଂଚଳ ପାଇଁ ଗୌରବ ଆଣୁଛନ୍ତି, ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ତାଙ୍କ ଭବିଷ୍ୟତ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁମତି ପ୍ରଧାନ ଯୋଗଦେଇ କହିଥିଲେ ଯେ, ଆଜିକାଲି ସବୁ କ୍ଷେତ୍ରରେ ଇଂରାଜୀ ଆବଶ୍ୟକତା ରହୁଛି। ସେଥିପାଇଁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପିଲାଙ୍କୁ ପଢ଼ାଇବାକୁ ଅଭିଭାବକମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ଯେତେ ଭାଷା ଶିଖୁଛ ଶିଖ, କିନ୍ତୁ ନିଜ ମାତୃଭାଷାକୁ ଆଗରେ ରଖ। ମୁଁ ଓଡ଼ିଆ, ଆମ ମାତୃଭାଷା ଭାରି ବଢ଼ିଆ ବୋଲି ମତବ୍ୟକ୍ତ କରିଥିଲେ। ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ଦାସ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ, ବାର୍ଷିକ ବିବରଣୀ ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ। କୃତୀ ବିଦ୍ୟାର୍ଥୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରୀଙ୍କୁ ନାୟକ, ରଶ୍ମିତା ବାରିକ, ଗୀତାଞ୍ଜଳି ସାହୁ, ଜ୍ୟୋତିଷ ପ୍ରିୟଦର୍ଶିନୀ ସ୍ୱାଇଁ, ଆର୍ଯ୍ୟାସୂତା ପରିଡ଼ା, ମୋନାଲିସା ତ୍ରିପାଠୀ, ବୀଣାପାଣି ସାମଲ, ବର୍ଷାରାଣୀ ଦାସ, କାଜଲ ସେଠୀ, ପ୍ରଣତୀ ସାହୁ, ସ୍ମିତାରାଣୀ ପାଣିଗ୍ରାହୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି