୨୦୨୬ରୁ ୨୦୩୬ - ଆଗାମୀ ୧୦ ବର୍ଷ 'ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ' ଗଠନର ଶତାବ୍ଦୀ ପୂର୍ତ୍ତି ଅଭିମୁଖେ ଗୁରୁତ୍ୱପୂର୍ଣ୍ଣ ଯାତ୍ରା  : ଧର୍ମେନ୍ଦ୍ର ପ୍ରଧାନ
ଭିଡ଼ିଓ ବାର୍ତ୍ତା ଜରିଆରେ ‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ‘ବିକଶିତ ଓଡ଼ିଶା’ ଗଠନ ପାଇଁ ୧୦ଟି ସଂକଳ୍ପର ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର, ୧ ଏପ୍ରିଲ(ହି.ସ) - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପବିତ୍ର ‘ଓଡ଼
୨୦୨୬ରୁ ୨୦୩୬ - ଆଗାମୀ ୧୦     ବର୍ଷ 'ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ' ଗଠନର ଶତାବ୍ଦୀ ପୂର୍ତ୍ତି ଅଭିମୁଖେ ଗୁରୁତ୍ୱପୂର୍ଣ୍ଣ ଯାତ୍ରା  : ଧର୍ମେନ୍ଦ୍ର ପ୍ରଧାନ


ଭିଡ଼ିଓ ବାର୍ତ୍ତା ଜରିଆରେ

‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

‘ବିକଶିତ ଓଡ଼ିଶା’ ଗଠନ ପାଇଁ ୧୦ଟି ସଂକଳ୍ପର ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୧ ଏପ୍ରିଲ(ହି.ସ) - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର

ପ୍ରଧାନ ଆଜି ପବିତ୍ର ‘ଓଡ଼ିଶା ଦିବସ’ ଅବସରରେ ଦେଶ ତଥା ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ

ଭାଇ-ଭଉଣୀମାନଙ୍କୁ ଭିଡ଼ିଓ ବାର୍ତ୍ତା ଜରିଆରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

୨୦୨୬ରୁ ୨୦୩୬ - ଆଗାମୀ ୧୦ ବର୍ଷ 'ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ' ଗଠନର ଶତାବ୍ଦୀ ପୂର୍ତ୍ତି ଅଭିମୁଖେ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ବୋଲି

ଅଭିହିତ କରିବା ସହ ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟ ଭାବେ ଗଢ଼ିତୋଳିବାକୁ ୧୦ଟି

ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି ।

ଓଡ଼ିଶାର ବରପୁତ୍ରମାନଙ୍କୁ

ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ

ଗର୍ବ ଓ ଗୌରବର ଦିନ । ଆଜିର ଦିନ କେବଳ ଏକ ତାରିଖ ନୁହେଁ, ଏହା ଆମ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ସଂଘର୍ଷର ବିଜୟ

ଉତ୍ସବ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାରେ ଆମ

ମହାପୁରୁଷମାନଙ୍କର ଅତୁଳନୀୟ ଅବଦାନ ରହିଛି । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ,ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ସ୍ୱଭାବକବି ଗଙ୍ଗାଧର ମେହେର ଏବଂ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଭାଷାପ୍ରୀତି ଓ

ଅଗଣିତ ବରପୁତ୍ରଙ୍କ ତ୍ୟାଗ ଆମ ଜାତିର ମୂଳଦୁଆ । ସେମାନଙ୍କ ସଂଘର୍ଷ ଯୋଗୁଁ ଆଜି ଆମ ଓଡ଼ିଆ

ଜାତି ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

୨୦୩୬ରେ ଓଡ଼ିଶା ଗଠନର ୧୦୦

ବର୍ଷ ପୂରଣ ହେବାକୁ ଥିବାବେଳେ, କେନ୍ଦ୍ରମନ୍ତ୍ରୀ ପ୍ରତ୍ୟେକ

ଓଡ଼ିଆଙ୍କୁ ନିମ୍ନଲିଖିତ ୧୦ଟି ସଂକଳ୍ପ ନେବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଆଜି ଠାରୁ ଠିକ୍ ୧୦ ବର୍ଷ ପରେ ୨୦୩୬ରେ ଆମ ରାଜ୍ୟ ଓଡ଼ିଶା ଭାଷା

ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ରେ ଆମ ଦେଶ ସ୍ୱାଧୀନତାର

ଶତାବ୍ଦୀ ପୂରଣ କରିବ । ଏଥିପାଇଁ ଆଗାମୀ ୧୦ ବର୍ଷରୁ ୨୧ ବର୍ଷ ଅତ୍ୟନ୍ତ ନିର୍ଣ୍ଣାୟକ ଓ

ମହତ୍ତ୍ୱପୂର୍ଣ୍ଣ । ତେଣୁ ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ଆତ୍ମସମୀକ୍ଷାର ଦିନ । ଏହି ସମୟରେ

ଆମକୁ ସଂକଳ୍ପ ନେବାକୁ ହେବ ଯେ –ଆମେ ଆମର ମାତୃଭାଷାକୁ ସମ୍ମାନ ଦେବା ଏବଂ ଏହାର ପ୍ରଚାର

ପ୍ରସାର କରିବା । ଓଡ଼ିଶାର ବିକାଶ ଓ ପ୍ରଗତିରେ

ନିଜ ନିଜ କ୍ଷେତ୍ରରେ ଅବଦାନ ଦେବା । ଜାତି, ଧର୍ମ ଓ

ଭେଦଭାବ ଭୁଲି ଏକ ସମୃଦ୍ଧ ଏବଂ ସଶକ୍ତ ଓଡ଼ିଶା ଗଠନରେ ସହାୟକ ହେବା । ପ୍ରତ୍ୟେକ ଶିଶୁଙ୍କ

ପାଖରେ ପୁଷ୍ଟିକର ଆହାର ପହଞ୍ଚାଇବା ପାଇଁ ସାମୂହିକ ଦାୟିତ୍ୱ ନେବା । ସିଙ୍ଗଲ୍ ୟୁଜ୍

ପ୍ଲାଷ୍ଟିକ୍ ବର୍ଜନ କରିବା ସହ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରିବା । ଆମର ବିଦ୍ୟାଳୟ, ମନ୍ଦିର, ଐତିହ୍ୟ ସ୍ଥଳୀ ଓ

ରାସ୍ତାଘାଟକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା । ଜଳ ଓ ଶକ୍ତିର ସଂରକ୍ଷଣ କରି ପ୍ରକୃତିର ସୁରକ୍ଷା

କରିବା । ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଦେଖାଯାଇଥିବା ସ୍ଥିତି ବା ଯେକୌଣସି ଘଡ଼ିସନ୍ଧି

ମୁହୂର୍ତ୍ତରେ ଧୈର୍ଯ୍ୟର ସହ ପରିସ୍ଥିତିକୁ ମୁକାବିଲା କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଭୟଭୀତ ନ

ହେବା ପାଇଁ ସାହସ ଓ ସହଯୋଗ ପ୍ରଦାନ କରିବା । ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ' ଆହ୍ୱାନରେ ଅନୁପ୍ରାଣିତ ହୋଇ ଓଡ଼ିଶାର ସ୍ଥାନୀୟ ସାମଗ୍ରୀକୁ

ପୋତ୍ସାହନ ଦେବା ସହ ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବା । ସର୍ବୋପରି, ଜଣେ ସଚେତନ ନାଗରିକ ଭାବେ ନିଜର ଅଧିକାରକୁ ସାବ୍ୟସ୍ତ କରିବା ନିଜର

କର୍ତ୍ତବ୍ୟ ସମ୍ପାଦନ କରିବା । ଏହି ସଂକଳ୍ପ ଗୁଡ଼ିକ ହିଁ ଆମକୁ ଆଗାମୀ ଦିନରେ ଏକ ସ୍ୱାଭିମାନୀ, ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ଗଠନର ମାର୍ଗ ଦେଖାଇବ ବୋଲି ସେ

କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି, ଆମ ରାଜ୍ୟ ଓଡ଼ିଶା ହେଉଛି କଳା, ସଂସ୍କୃତି,

ଭାଷା ଏବଂ ଅଦମ୍ୟ ସାହସର ଏକ ସଂଗମ ସ୍ଥଳ କୋଣାର୍କର କାରୁକାର୍ଯ୍ୟରୁ

ଆରମ୍ଭ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପର୍ଯ୍ୟନ୍ତ - ଆମର

ପରମ୍ପରା ସାରା ବିଶ୍ୱରେ ଅଦ୍ୱିତୀୟ । ଆମ ଓଡ଼ିଶା ମାଟି ହେଉଛି ଦେବଭୂମି । ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ହିଁ ଆମ

ଜାତିର ସବୁଠାରୁ ବଡ଼ ସମ୍ବଳ । ମା' ଲକ୍ଷ୍ମୀ ଏବଂ ମା' ବିମଳାଙ୍କ ଆଶୀର୍ବାଦ ସର୍ବଦା ଆମ ସଂସ୍କୃତିକୁ ସମୃଦ୍ଧ ଓ ସୁରକ୍ଷିତ

କରି ରଖିଛି । ସେହିପରି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ହେଉଛନ୍ତି ଆମ ଆସ୍ଥା ଓ

ବିଶ୍ୱାସର ପ୍ରତୀକ, ଯାହାଙ୍କ ଆଶୀର୍ବାଦ ଆମ

ଜୀବନକୁ ସର୍ବଦା ମାର୍ଗଦର୍ଶନ କରିଆସିଛି ।ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଆଶୀର୍ବାଦ ଆମ ମାଟିକୁ ଏକ

ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ଦେଇଛି । ମା' ହିଙ୍ଗୁଳା, ମା' ତାରିଣୀ, ମା' କଟକଚଣ୍ଡୀ, ମା' ବିରଜା, ମା’ ଶାରଳା ଏବଂ ମା’ ଚର୍ଚ୍ଚିକାଙ୍କ ଅଭୟ ଦିଶା ଆମର ଏହି ପବିତ୍ର

ଭୂମିକୁ ଏକ ଆଧ୍ୟାତ୍ମିକ ମର୍ଯ୍ୟାଦା ପ୍ରଦାନ କରିଛି । ଆମର ଶାସ୍ତ୍ରୀୟ ଭାଷା 'ଓଡ଼ିଆ' ଆମର ଶକ୍ତି ଏବଂ ‘ସାହିତ୍ୟ’

ଓ ‘ଇତିହାସ’ ଆମର ଗର୍ବ। ଓଡ଼ିଆ ଘରର ପଖାଳ କଂସାରୁ ଆରମ୍ଭ କରି ମହାପ୍ରଭୁଙ୍କ ମହାପ୍ରସାଦ

ପର୍ଯ୍ୟନ୍ତ - ଆମର ପାରମ୍ପରିକ ଖାଦ୍ୟ ସଂସ୍କୃତିରେ ଯେଉଁ ସ୍ୱତନ୍ତ୍ରତା ଓ ଆତ୍ମୀୟତା ରହିଛି, ତାହା ଅନନ୍ୟ । ଶ୍ରୀକ୍ଷେତ୍ର ପୁରୀର ଖଜା ଠାରୁ ଆରମ୍ଭ କରି

ସମ୍ବଲପୁରର ସରସତିଆ, ନୟାଗଡ଼ର ଛେନାପୋଡ଼, ସାଲେପୁର ରସୋଗୋଲା, ଢେଙ୍କାନାଳର

ବରା ଏବଂ କେନ୍ଦ୍ରାପଡ଼ାର ରସାବଳୀ ସାରା ବିଶ୍ୱରେ ଓଡ଼ିଆ ଜାତିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି

କରିପାରିଛି ।

ଶ୍ରୀ ପ୍ରଧାନ ଆହୁରି

କହିଛନ୍ତି, ଆଜିର ଓଡ଼ିଶା ଏକ ବଡ଼ ପରିବର୍ତ୍ତନର ପଥରେ ଅଗ୍ରସର ହେଉଛି ।

ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ଓଡ଼ିଆ ଜାତିର ଅକ୍ଳାନ୍ତ ପରିଶ୍ରମ ବଳରେ ଆମେ 'ବିକଶିତ ଓଡ଼ିଶା' ଗଠନ

କରିବା ପାଇଁ ସଂକଳ୍ପବଦ୍ଧ । ଆମର କଳା, ଭାସ୍କର୍ଯ୍ୟ, ଶିଳ୍ପ

ଏବଂ ଯୁବଶକ୍ତିର ଅସୀମ ଦକ୍ଷତା ସାରା ଦୁନିଆରେ ଓଡ଼ିଶା ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରୁଛି ।

ଓଡ଼ିଶାର ଏହି ସମୃଦ୍ଧ ସଂସ୍କୃତି, ଭାଷା ଓ ଐତିହ୍ୟକୁ

ଯୁବପିଢ଼ିଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଆଜି ଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ

'ଓଡ଼ିଆ ପକ୍ଷ' ପାଳନ

କରିବା ଖୁସିର ବିଷୟ । ଏହି 'ଓଡ଼ିଆ ପକ୍ଷ' ଅଭିଯାନ ଅଧୀନରେ ଶିଶୁମାନଙ୍କ ପାଇଁ ଖଡ଼ିଛୁଆଁ ଓ ବର୍ଣ୍ଣବୋଧ ବଣ୍ଟନ, ଓଡ଼ିଆ ନାମଫଳକ ଲଗାଇବା ପାଇଁ ସଚେତନତା, ପୁସ୍ତକ ମେଳା, ସାହିତ୍ୟ

ଚର୍ଚ୍ଚା ସହ ବରପୁତ୍ରମାନଙ୍କ ଆଦର୍ଶ ଉପରେ ଆଲୋଚନା କରାଯିବ । ଏହି ଦୂରଦୃଷ୍ଟିସମ୍ପନ୍ନ

ପଦକ୍ଷେପ ଆମ ଐତିହ୍ୟକୁ ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ପ୍ରଦାନ କରିବା ସହ ଓଡ଼ିଆ ଅସ୍ମିତାକୁ

ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande