
ପୁରୀ, 01 ଏପ୍ରିଲ୍ (ହି.ସ.) -ପୁରୀ ଜିଲ୍ଲାରେ ନାଗରିକ ସେବାକୁ ଆହୁରି ସୁବିଧାଜନକ, ଦ୍ରୁତ ଏବଂ ଲୋକମୁଖୀ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ବୁଧବାର ଦିନ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ ଓ ପୁରୀ ଏସ. ପି.ପ୍ରତୀକ ସିଂହ, ଙ୍କ ନେତୃତ୍ୱରେ ପୁରୀ ପୋଲିସ ସହାୟକ ହ୍ଵାଟ୍ସଆପ ଚାଟବଟ ସେବାର ଶୁଭାରମ୍ଭ କରାଯାଇଛି। ଏହି ଆଧୁନିକ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପୁରୀ ପୋଲିସ ନାଗରିକ ଓ ପର୍ଯ୍ୟଟକମାନଙ୍କୁ ୨୪x୭ ଆଧାରରେ ସହଜ ଏବଂ ତୁରନ୍ତ ସେବା ପ୍ରଦାନ କରିବ। ସମସ୍ତେ କେବଳ ହ୍ଵାଟ୍ସଆପ ମାଧ୍ୟମରେ ଏହି ସେବାକୁ ଉପଭୋଗ କରିପାରିବେ। କ୍ୟୁଆର କୋଡ଼ ସ୍କାନ କରି କିମ୍ବା +୯୧ ୮୭୬୩୧୯୯୪୦୦ ନମ୍ବରକୁ “Hi” ମେସେଜ୍ ପଠାଇ ଏହି ସେବାରେ ସଂଯୁକ୍ତ ହୋଇପାରିବେ। ଏହି ହ୍ଵାଟ୍ସଆପ ଚାଟବଟ ମାଧ୍ୟମରେ ନିମ୍ନଲିଖିତ ସେବାଗୁଡିକ ଉପଲବ୍ଧ ହେବ ଯେପରିକି ଇ-କମ୍ପ୍ଲେନ୍ ଦାଖଲ ହରାଇଥିବା ମୋବାଇଲ ଫୋନ ସମ୍ବନ୍ଧୀୟ ଅଭିଯୋଗ,ପ୍ରତିକ୍ରିୟା ଦେବା ନିକଟସ୍ଥ ପୋଲିସ ଷ୍ଟେସନ ଖୋଜିବା, ପାର୍କିଂ ସ୍ଥାନ ସମ୍ବନ୍ଧୀୟ ସୂଚନା, ପର୍ଯ୍ୟଟକ ସହାୟତା ନେଇପାରିବେ |
ଏହି ପଦକ୍ଷେପ ଦ୍ୱାରା ପୁରୀ ପୋଲିସ ନାଗରିକଙ୍କ ସମସ୍ୟାର ସମାଧାନକୁ ଆହୁରି ଦ୍ରୁତ, ପ୍ରଭାବଶାଳୀ ଏବଂ ପାରଦର୍ଶୀ କରିବାକୁ ସମର୍ଥ ହେବ। ବିଶେଷ କରି ପର୍ଯ୍ୟଟକମାନେ ପୁରୀରେ ରହିବା ସମୟରେ ସୁରକ୍ଷା, ନିର୍ଦ୍ଦେଶନା ଏବଂ ଆବଶ୍ୟକ ସୂଚନା ଏହି ପ୍ଲାଟଫର୍ମ ମାଧ୍ୟମରେ ସହଜରେ ପାଇପାରିବେ।
ପ୍ରତୀକ ସିଂହ, ଏସ୍ପି, ପୁରୀ ଏହି ଅବସରରେ କହିଥିଲେ ଯେ, “ପୁରୀ ପୋଲିସ ସଦା ସର୍ବଦା ଲୋକମାନଙ୍କ ସେବା ଓ ସୁରକ୍ଷା ପାଇଁ ପ୍ରତିବଦ୍ଧ। ଏହି ସେବା ଆମ ସେବାକୁ ଆହୁରି ନିକଟରେ ନେଇଯିବ ଏବଂ ନାଗରିକମାନେ ତୁରନ୍ତ ସହାୟତା ପାଇପାରିବେ।” ଏହି ପ୍ରକଳ୍ପଟି ପି ଏନ ବି ୱାନ ଦ୍ୱାରା ସମର୍ଥିତ ଏବଂ ରେଜ଼ଳେର ସିଷ୍ଟମ ଦ୍ୱାରା ପ୍ରଯୁକ୍ତିଗତ ସହଯୋଗରେ ରୂପାୟଣ କରାଯାଇଛି। ପୁରୀ ପୋଲିସ ସମସ୍ତ ନାଗରିକ ଏବଂ ପର୍ଯ୍ୟଟକମାନଙ୍କୁ ଏହି ସେବାର ସଦୁପଯୋଗ କରି ସୁରକ୍ଷିତ ଓ ସୁବିଧାଜନକ ପରିବେଶ ଗଢ଼ିବାରେ ସହଯୋଗ କରିବାକୁ ଅନୁରୋଧ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ