
ତେହେରାନ, 11
ଏପ୍ରିଲ (ହି.ସ.)। ପଶ୍ଚିମ ଏସିଆରେ ପ୍ରାୟ ଛଅ ସପ୍ତାହ ଧରି ଚାଲିଥିବା ଭୟାବହ ସାମରିକ ସଂଘର୍ଷ
ଓ ବିବାଦ ପରେ ଶନିବାର ପାକିସ୍ତାନର ରାଜଧାନୀ ଇସ୍ଲାମାବାଦରେ ହେବାକୁ ଥିବା ଶାନ୍ତି ଆଲୋଚନା
ଉପରେ ସମସ୍ତଙ୍କ ନଜର ରହିଛି। ଏଗାର ବର୍ଷ ପରେ ଏହା ପ୍ରଥମ ଅବସର ଯେତେବେଳେ କି ଇରାନ ଓ
ଆମେରିକା ସିଧାସଳଖ ଆଲୋଚନା ପାଇଁ ବସିବେ। ଏହି ଆଲୋଚନା ପାଇଁ ଉଭୟ ଦେଶର ପ୍ରତିନିଧିମାନେ
ଇସ୍ଲାମାବାଦ ପହଞ୍ଚିସାରିଛନ୍ତି।
ପଶ୍ଚିମ ଏସିଆରେ ଭୟଙ୍କର ଯୁଦ୍ଧ, ହର୍ମୁଜ୍
ପ୍ରଣାଳୀ ଉପରେ ନିୟନ୍ତ୍ରଣ ଏବଂ ଇସ୍ରାଏଲ-ହିଜବୁଲ୍ଲା ସଂଘର୍ଷ ମଧ୍ୟରେ ଆଜି ଇସ୍ଲାମାବାଦରେ
ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବ। ଏହି ପାଇଁ ଆମେରିକୀୟ ପ୍ରତିନିଧିମଣ୍ଡଳରେ
ଅମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ,
ବିଶେଷ ଦୂତ ସ୍ଟିଭ୍ ୱିଟକଫ୍ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ
ଜାରେଡ୍ କୁଶନର ଇସ୍ଲାମାବାଦ ପହଞ୍ଚିଛନ୍ତି।
ମିଡିଆ ସଂସ୍ଥା ‘ଇରାନ
ଇଣ୍ଟରନ୍ୟାଶନାଲ’ ଅନୁସାରେ ସଂସଦ ଅଧ୍ୟକ୍ଷ ମହମ୍ମଦ ବାଘେର ଘାଲିବାଫଙ୍କ ନେତୃତ୍ୱରେ ଇରାନୀ
ପ୍ରତିନିଧିମଣ୍ଡଳ ଆଲୋଚନା ପାଇଁ ଇସ୍ଲାମାବାଦ ପହଞ୍ଚିଛି। ଏଥିରେ ଇରାନର ବିଦେଶମନ୍ତ୍ରୀ ଅବ୍ବାସ
ଆରାଘଚି, ରକ୍ଷା
ପରିଷଦର ସଚିବ ଅଲି ଆକବର ଆହମାଦିଆନ ଏବଂ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ନର ଅବ୍ଦୋଲନାସେର ହେମ୍ମତି
ସମ୍ମିଳିତ ଅଛନ୍ତି। ସଂସଦର ଅନେକ ସଦସ୍ୟ ମଧ୍ୟ ଏହି ପ୍ରତିନିଧିମଣ୍ଡଳର ଅଂଶ ଅଟନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା