
ନୂଆଦିଲ୍ଲୀ, ୧୨ ଅପ୍ରେଲ (ହି.ସ.)- ନାରୀ ଶକ୍ତି ବନ୍ଦନ ଆଇନ ସହ ଜଡ଼ିତ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜର ଆପତି ଓ ଦାବି ଉପସ୍ଥାପନ କରିଛନ୍ତି । ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାର ନିଷ୍ପତି ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।
ଶନିବାର ରାତିରେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିରେ ଖର୍ଗେ କହିଛନ୍ତି ଯେ, ନାରୀ ଶକ୍ତି ବନ୍ଦନ ଅଧିନିୟମ, ୨୦୨୩ ସେପ୍ଟେମ୍ବର ୨୦୨୩ ରେ ସଂସଦ ଦ୍ୱାରା ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା ଏବଂ ସେହି ସମୟରେ ଏହାର ତୁରନ୍ତ କାର୍ଯ୍ୟକାରିତା ଦାବି କରାଯାଇଥିଲା । ବ୍ୟାପକ ସହମତି ସତ୍ୱେ ସରକାର ଏହାକୁ କାର୍ଯ୍ୟକାରୀ କରିନଥିଲେ । ବର୍ତମାନ, ପ୍ରାୟ ୩୦ ମାସ ପରେ, ପର୍ଯ୍ୟାପ୍ତ ସୂଚନା ସେୟାର ବିନା ସ୍ୱତନ୍ତ୍ର ଅଧିବେଶନ ଡକାଯାଉଛି, ଯାହାକି ଏକ ଅର୍ଥପୂର୍ଣ୍ଣ ଆଲୋଚନା ସମ୍ଭବ ହେବ ନାହିଁ ।
କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ, ସୀମା ନିର୍ଦ୍ଧାରଣ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାର ବିରୋଧୀଙ୍କୁ ବିଶ୍ୱାସକୁ ନେଇନାହାନ୍ତି । ସେ ପରାମର୍ଶ ଦେଇଛନ୍ତି ଯେ ବର୍ତମାନର ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ଏପ୍ରିଲ ୨୯ ପରେ ଏକ ସର୍ବଦଳୀୟ ବୈଠକ ଡକାଯିବା ଉଚିତ, ଯାହାଦ୍ୱାରା ସମସ୍ତ ଦଳ ସହିତ ବ୍ୟାପକ ଆଲୋଚନା ହୋଇପାରିବ । ସ୍ପଷ୍ଟ ବିବରଣୀ ବିନା କୌଣସି ସାମ୍ବିଧାନିକ ସଂଶୋଧନର ଆଲୋଚନା ଅସମ୍ପୂର୍ଣ୍ଣ ରହିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ