
ନୂଆଦିଲ୍ଲୀ, ୧୪ ଏପ୍ରିଲ (ହି.ସ.)- ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ମଙ୍ଗଳବାର କହିଛନ୍ତି ଯେ, ଯୁବମାନଙ୍କର ପ୍ରତିଭା, କୌଶଳ, ନବୋନ୍ମେଷ ଓ ସମର୍ପଣ ଦେଶକୁ ଆହୁରି ସଶକ୍ତ ଏବଂ ଉନ୍ନତ କରିବ।
ଲୋକସଭା ସଚିବାଳୟର ସଂସଦୀୟ ଅନୁସନ୍ଧାନ ଓ ପ୍ରଶିକ୍ଷଣ
ସଂସ୍ଥା ପକ୍ଷରୁ ସଂବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ଡ଼ଃ ଆମ୍ବେଦକର ଜୟନ୍ତୀ ଅବସରରେ ଆୟୋଜିତ
‘ନୋ ୟୋର ଲିଡର’ କାର୍ଯ୍ୟକ୍ରମରେ ବିର୍ଲା ଏହା କହିଛନ୍ତି । ସେ ଭାରତର ଯୁବମାନଙ୍କୁ ବାବାସାହେବଙ୍କ
ଚିନ୍ତାଧାରାର ସତ୍ୟ ପ୍ରତିନିଧି ବୋଲି କହି ଆହ୍ୱାନ କଲେ, “ଯୁବମାନେ ସଦା ରାଷ୍ଟ୍ର ପ୍ରଥମ ଭାବନା ସହିତ କାମ କରିବା ଉଚିତ। ଡ଼ଃ ଆମ୍ବେଦକରଙ୍କ ଜୀବନ
ଆମକୁ ଶିଖାଏ ଯେ ଶିକ୍ଷା, ସଚେତନତା ଓ ସଂଗଠିତ ପ୍ରୟାସ
ମାଧ୍ୟମରେ ସମାଜରେ ସକାରାତ୍ମକ ପରିବର୍ତ୍ତନ ସମ୍ଭବ। ଆଜି ଯେତେବେଳେ ଆମେ ଉନ୍ନତ ଓ ସମାବେଶୀ
ଭାରତ ଗଠନ ଦିଗରେ ଅଗ୍ରସର, ବାବାସାହେବଙ୍କ ଚିନ୍ତାଧାରା
ଆହୁରି ଅଧିକ ପ୍ରାସଙ୍ଗିକ ହୋଇଯାଏ। ତାଙ୍କର ସଂଘର୍ଷ ଓ ଦର୍ଶନ ଆମକୁ ଅନ୍ୟାୟ, ଅସମାନତା ଓ ଭେଦଭାବ ବିରୋଧରେ ଦଣ୍ଡାୟମାନ ହେବାକୁ ପ୍ରେରଣା ଦିଏ।”
ସେ କହିଛନ୍ତି ଯେ, ବିପରୀତ ପରିସ୍ଥିତି ସତ୍ତ୍ୱେ ମଧ୍ୟ ବାବାସାହେବ ଉଚ୍ଚ ସଫଳତା ହାସଲ କରିଥିଲେ ଏବଂ ତାଙ୍କର
ଅଦମ୍ୟ ସାହସ, କଠିନ ପରିଶ୍ରମ ଓ ଶିକ୍ଷାର ଶକ୍ତିରେ ନିଜକୁ ସ୍ଥାପିତ
କରିଥିଲେ । ଏହା ସହିତ କୋଟି କୋଟି ବଞ୍ଚିତ ଓ ଶୋଷିତ ଲୋକଙ୍କ ପାଇଁ ଆଶାର ନୂତନ କିରଣ ପାଲଟି ଯାଇଥିଲେ।
ସେ ତାଙ୍କର ପ୍ରତିଭା, ସମର୍ପଣ ଓ ଦୃଢ଼ ନିଷ୍ଠାରେ ଜୀବନର
ପ୍ରତ୍ୟେକ ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିଥିଲେ। ତାଙ୍କର ଜୀବନ, ଆଦର୍ଶ, ଚିନ୍ତାଧାରା ଓ ରାଷ୍ଟ୍ର ଗଠନରେ ଅମୂଲ୍ୟ ଅବଦାନ ସମସ୍ତଙ୍କ
ପାଇଁ ଚିରସ୍ଥାୟୀ ପ୍ରେରଣା।
ବାବାସାହେବ ସଂବିଧାନରେ ସମାନତାର ଅଧିକାର ଓ କୌଣସି ଭେଦଭାବ
ବିନା ମତଦାନର ଅଧିକାର ଭଳି ପ୍ରଗତିଶୀଳ ବ୍ୟବସ୍ଥା କରି ଏକ ସଶକ୍ତ ଭାରତର ଭିତି ସୃଷ୍ଟି
କରିଥିଲେ,
ଯାହା କେବଳ ଭାରତର ଲୋକତନ୍ତ୍ରକୁ ନୁହେଁ, ବିଶ୍ୱର ଅନ୍ୟ ଲୋକତନ୍ତ୍ରକୁ ମଧ୍ୟ ପ୍ରେରିତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା