
ନୂଆଦିଲ୍ଲୀ, ୧୬ ଅପ୍ରେଲ (ହି.ସ.)- ମହିଳା ସଂରକ୍ଷଣ ଆଇନ ସହ ଜଡ଼ିତ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ବୁଧବାର ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଉପସ୍ଥାପନ କରାଯାଇଛି । ସମ୍ବିଧାନ (୧୩୧ ତମ ସଂଶୋଧନ) ବିଲ୍, ୨୦୨୬ ଏବଂ ସୀମା ନିର୍ଦ୍ଧାରଣ ବିଲ୍, ୨୦୨୬ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା କେନ୍ଦ୍ର ଶାସିତ ଅଂଚଳ ଆଇନ (ସଂଶୋଧନ) ବିଲ୍, ୨୦୨୬ କୁ ଗୃହରେ ରଖିଥିଲେ ।
ବିରୋଧୀମାନେ ଏହି ବିଲ୍ ଗୁଡ଼ିକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ପ୍ରଥମେ କଂଗ୍ରେସ ନେତା କେ. ସି. ଭେନୁଗୋପାଳ କହିଥିଲେ ଯେ, ସରକାର ସମ୍ବିଧାନକୁ ଅପହରଣ କରିବାକୁ ଚାହୁଁଛନ୍ତି । ସମାଜବାଦୀ ପାର୍ଟି ସାଂସଦ ଧର୍ମେନ୍ଦ୍ର ଯାଦବ ସେତେବେଳେ କହିଥିଲେ ଯେ, ମୁସଲମାନ ମହିଳାମାନଙ୍କୁ ସଂରକ୍ଷଣ ନ ଦିଆଯିବା ପର୍ଯ୍ୟନ୍ତ ଏହି ଆଇନର କୌଣସି ଅର୍ଥ ନାହିଁ । ଏହାର ଉତରରେ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ଧର୍ମ ଆଧାରରେ ସଂରକ୍ଷଣ ଅସାମ୍ବିଧାନିକ ଏବଂ ଏହାର ପ୍ରଶ୍ନ ଉଠୁନାହିଁ ।
ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ କହିଛନ୍ତି ଯେ, ଦେଶ ଅଧା ଜନସଂଖ୍ୟାକୁ ସଂରକ୍ଷଣ ଚାହୁଁଛି, କିନ୍ତୁ ମୁସଲମାନ ମହିଳାଙ୍କ ପାଇଁ କ’ଣ ବ୍ୟବସ୍ଥା ରହିଛି । ଏହାର ଜବାବରେ ଅମିତ ଶାହା କହିଥିଲେ ଯେ ଯଦି ସମାଜବାଦୀ ପାର୍ଟି ଚାହିଁବ, ତେବେ ନିଜର ଟିକେଟ୍ ମୁସଲମାନ ମହିଳାମାନଙ୍କୁ ଦେଇପାରିବ, ଏଥିରେ ସରକାରଙ୍କର କୌଣସି ଆପତି ରହିବ ନାହିଁ ।
ଏହି ସଂଶୋଧନ ବିଲ୍ ରେ ଲୋକସଭାରେ ମୋଟ୍ ଆସନ ସଂଖ୍ୟାକୁ ୫୪୩ରୁ ୮୫୦କୁ ବୃଦ୍ଧି କରିବାର ପ୍ରସ୍ତାବ ରହିଛି । ଏଥିରେ ରାଜ୍ୟଗୁଡ଼ିକ ପାଇଁ ୮୧୫ଟି ଆସନ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ପାଇଁ ୩୫ଟି ଆସନ ରହିବ । ଆସନଗୁଡ଼ିକର ସଠିକ୍ ନିର୍ଣ୍ଣୟ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ପରେ ହେବ । ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ ମହିଳାମାନଙ୍କ ପାଇଁ ୨୭୩ଟି ଆସନ ସଂରକ୍ଷିତ ରହିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ