
ନୂଆଦିଲ୍ଲୀ, ୧୬ ଅପ୍ରେଲ (ହି.ସ.)- ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିରୋଧୀ ଇଣ୍ଡି ମେଂଟ ନେତାଙ୍କ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ରଣନୀତି ପ୍ରସ୍ତୁତ କରିବା ପାଇଁ ବିରୋଧୀ ଦଳର ଫ୍ଲୋର ଲିଡରମାନେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଖର୍ଗେଙ୍କ କାର୍ଯ୍ୟାଳୟରେ ଭେଟିଥିଲେ । ଏହି ସ୍ୱତନ୍ତ୍ର ବୈଠକରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା କରାଯାଇଥିଲା, ଯେଉଁଥିରେ ୨୦୨୯ ଲୋକସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ଆସନ ସଂରକ୍ଷଣ ବିଲ୍ ଏବଂ ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଅନ୍ତର୍ଭୁକ୍ତ । ଆସନ ସଂଖ୍ୟା ୫୪୩ ରୁ ସର୍ବାଧିକ ୮୫୦ କୁ ବୃଦ୍ଧି ଏବଂ ସୀମା ନିର୍ଦ୍ଧାରଣର ବ୍ୟବସ୍ଥା ଉପରେ ବିରୋଧୀ ଚିନ୍ତା ପ୍ରକଟ କରିଛନ୍ତି ।
ଏହି ବୈଠକରେ ରାହୁଲ ଗାନ୍ଧୀ, ଜୟରାମ ରମେଶ, ସୟଦ ନାସିର ହୁସେନ୍, ପ୍ରମୋଦ ତିୱାରୀ, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏସପି) ର ସୁପ୍ରିୟା ସୁଲେ, ଶିବସେନା ୟୁବିଟିର ସଞ୍ଜୟ ରାଉତ୍, ତୃଣମୂଳ କଂଗ୍ରେସର ସାଗରିକା ଘୋଷଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।
ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ 'ଏକ୍ସ ରେ ଲେଖିଥିଲେ ଯେ, ମହିଳା ସଂରକ୍ଷଣ ନାମରେ ଅଣାଯାଇଥିବା ତ୍ରୁଟିପୂର୍ଣ୍ଣ ସୀମା ନିର୍ଦ୍ଧାରଣ ବିଲ୍ ଦ୍ୱାରା ସଂସଦକୁ ହାଇଜାକ୍ ହେବାକୁ ଦେବେ ନାହିଁ ବିରୋଧୀ ଦଳ । ବିରୋଧୀ ଦଳଗୁଡ଼ିକ ଏକଜୁଟ୍ ହୋଇ ଗଣତନ୍ତ୍ର ଉପରେ ହେଉଥିବା ଏହି ଆକ୍ରମଣର ମୁକାବିଲା କରିବେ ।
ଆରଏସପି ସାଂସଦ ଏନକେ ପ୍ରେମଚନ୍ଦ୍ରନ କହିଛନ୍ତି ଯେ, ବିରୋଧୀ ଦଳ ମହିଳା ସଂରକ୍ଷଣ ବିଲ୍ କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି, କିନ୍ତୁ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ବିରୋଧ କରୁଛି । ସେ କହିଥିଲେ ଯେ, ୨୦୧୧ ଜନଗଣନା ଆଧାରରେ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ଏକ ଅସନ୍ତୁଳନ ସୃଷ୍ଟି କରୁଛି । ଉଦାହରଣ ସ୍ୱରୂପ, ଉତର ପ୍ରଦେଶକୁ ପାଖାପାଖି ୧୩୫ଟି ଆସନ ମିଳିବ, ଯେତେବେଳେ କି କେରଳକୁ ମାତ୍ର ୨୨.୫ ଆସନ ମିଳିବ । ଏହି ଅସମାନତା କାରଣରୁ ବିରୋଧୀମାନେ ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ