
ଧର୍ମଶାଳା, ୧୮ଏପ୍ରିଲ (ହି.ସ.)- ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଅଂଚଳରେ ତୃଷ୍ଣା ମେଂଟାଇବା ଲାଗି ଯାଜପୁର ପୁଲିସ ପ୍ରଶାସନ ପକ୍ଷରୁ ଜଳଛତ୍ର କେନ୍ଦ୍ର ପ୍ରତିଷ୍ଠା କରାଯାଇ ଜନସାଧାରଣଙ୍କୁ ପାନୀୟ ଜଳ ବଂଟନ କରାଯାଉଛି । ଏହି କ୍ରମରେ ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ପକ୍ଷରୁ ତାରିଣୀଛକ ନିକଟରେ ଏକ ଜଳଛତ୍ର କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକଙ୍କ ତତ୍ଵାବଧାନରେ ଆଜି ବାଟୋଇମାନଙ୍କୁ ଶୁଦ୍ଧ ଥଣ୍ଡା ପାନୀୟ ଜଳ ସହ ଦହି ପାଣି ବଂଟନ କରାଯାଇଛି । ପର୍ଯ୍ୟାୟ କ୍ରମେ ଥାନା ଅଧିନରେ ଥିବା ବ୍ରହ୍ମବରଦା ପଂଚାୟତ ସମେତ ମୋଟ ୯ ଗୋଟି ପଂଚାୟତରେ ଜଳଛତ୍ର କେନ୍ଦ୍ର କରାଯାଇ ଜନସାଧାରଣଙ୍କୁ ଥଣ୍ଡା ପାନୀୟ ଜଳ ଓ ଦହି ପାଣି ବଂଟନ କରାଯିବ ବୋଲି ଥାନା ଅଧିକାରିଣୀ ଶ୍ରୀମତି ମଲ୍ଲିକ ସୂଚନା ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମକୁ ଥାନାର ଏଏସ୍ଆଇ ଲକ୍ଷ୍ମୀଧର ରାଜ୍, ବଳରାମ ସାହୁ, ଲମ୍ବୋଦର ପୃଷ୍ଟିି, ପାର୍ଥ ସାରଥୀ ରାଉତ ଓ ନନ୍ଦ କିଶୋର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏଭଳି କାର୍ଯ୍ୟକ୍ରମକୁ ଅଂଚଳବାସୀ ସ୍ଵାଗତ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ