
ନୂଆଦିଲ୍ଲୀ, ୦୨ ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହନୁମାନ
ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଭଗବାନ ହନୁମାନଙ୍କୁ ଭକ୍ତି, ଶକ୍ତି ଏବଂ ଅଟୁଟ ସମର୍ପଣର ପ୍ରତୀକ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ମହାବଳୀ ହନୁମାନଙ୍କର କୃପାରେ
ସମସ୍ତ ଭକ୍ତଙ୍କ ମଧ୍ୟରେ ସାହସ ଓ ସକାରାତ୍ମକତାର ସଂଚାର ହୁଏ।
ସେ ହନୁମାନଜୀଙ୍କ ସ୍ତୁତିରେ
ଏକ ସଂସ୍କୃତ ଶ୍ଲୋକ ମଧ୍ୟ ସେୟାର କରିଥିଲେ—
“ମନୋଜବଂ ମାରୁତତୁଲ୍ୟବେଗଂ
ଜିତେନ୍ଦ୍ରିୟଂ ବୁଦ୍ଧିମତାଂ ବରିଷ୍ଠମ୍।
ବାତାତ୍ମଜଂ ବାନରଯୂଥମୁଖ୍ୟଂ
ଶ୍ରୀରାମଦୂତଂ ଶିରସା ନମାମି॥”
ଏହି ଶ୍ଲୋକର ଅର୍ଥ
ହେଉଛି—ମୁଁ ସେହି ହନୁମାନଜୀଙ୍କୁ ମୁଣ୍ଡ ନୁଆଇଁ ପ୍ରଣାମ କରୁଛି, ଯିଏ ମନର ଗତି ପରି ତୀବ୍ର, ପବନ ପରି
ବେଗବାନ, ଯିଏ ନିଜ ଇନ୍ଦ୍ରିୟକୁ ଜିତିଛନ୍ତି, ବୁଦ୍ଧିମାନ ମଧ୍ୟରେ ଶ୍ରେଷ୍ଠ, ପବନଦେବଙ୍କ ପୁତ୍ର, ବାନର ସେନାର ନେତା ଏବଂ
ଭଗବାନ ଶ୍ରୀରାମଙ୍କ ଦୂତ।
ପ୍ରଧାନମନ୍ତ୍ରୀ ଅନ୍ୟ ଏକ ବାର୍ତ୍ତାରେ
କହିଛନ୍ତି ଯେ ଏହି ପବିତ୍ର ଅବସର ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଓ ସ୍ଫୂର୍ତ୍ତି ଆଣୁ। ସେ
କାମନା କରିଛନ୍ତି ଯେ ପବନପୁତ୍ର ହନୁମାନଜୀ ସମସ୍ତଙ୍କୁ ବଳ, ବୁଦ୍ଧି ଓ ବିଦ୍ୟାର ଆଶୀର୍ବାଦ ଦିଅନ୍ତୁ, ଯାହା
ଦ୍ୱାରା ଦେଶର ସାମର୍ଥ୍ୟ ଆହୁରି ବଢ଼ିବ। ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାର ଶେଷରେ “ଜୟ
ବଜରଙ୍ଗବଳୀ” ବୋଲି ଉଚ୍ଚାରଣ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା