
କେନ୍ଦୁଝର, ୨୦ ଏପ୍ରିଲ୍ (ହି.ସ.)-
ଅକ୍ଷୟ ତୃତୀୟା ଅନୁକୂଳର ମହାପର୍ବ । ସୁଖ, ସମୃଦ୍ଧି ଓ ସୌଭାଗ୍ୟ ସହିତ ବହୁଳ ଭାବେ ଜଡିତ ଆଜିର ଦିନ । ଚାଷ ଜମିରେ ପୂଜାର୍ଚ୍ଚନା ସହ ଅଖି ମୁଠି ଅନୁକୂଳ କରିଛନ୍ତି ଚାଷୀ । ନୂଆ ଧାନ ନେଇ କ୍ଷେତରେ ବୁଣି ହଳ କରିଛନ୍ତି ଚାଷୀମାନେ । ଆଜିଠୁ କୃଷିଭିତ୍ତିକ କାମର ମୂଳଦୁଆ ପଡିଥାଏ । ହଳଦୀ, ଚନ୍ଦନ, ସିନ୍ଦୂର ଲଗାଇ ଧାନ ବିହନପୂର୍ଣ୍ଣ ନୂଆ ଗଉଣି ଓ ଟୋକେଇକୁ ପାଟବସ୍ତ୍ରରେ ସଜାଇ ଜମିରେ ଅଖି ମୁଠି ଅନୁକୂଳ ହୋଇଛି ।
ଏହି ପରିପ୍ରେକ୍ଷୀରେ ଆଜି କେନ୍ଦୁଝର ଜୁଡ଼ିଆସ୍ଥିତ ଓୟୁଏଟି ଫାର୍ମଠାରେ ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ଗଣେଶରାମ ସିଂଖୁଣ୍ଟିଆ ଯୋଗଦେଇ ଅଖି ମୁଠି ଅନୁକୂଳ କରିବା ସହ ରାଜ୍ୟର କୃଷକଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ନିଜ ଅଭିଭାଷଣରେ କୃଷି ଓ କୃଷକର ଉନ୍ନତି ନିମନ୍ତେ ଆମ ସରକାର ଉଦ୍ଯମ କରୁଥିବା ଓ କଥା ଦେଇ ଆମ ସରକାର କଥା ରଖିଥିବା କହିଥିଲେ। ଚାଷୀ ମାନଙ୍କ ଠାରୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯାଉଛି। ମାଟି ମାଆର ସ୍ୱାସ୍ଥ୍ୟ ରକ୍ଷା ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ପ୍ରଚଳନ କରାଯାଇଛି । ଚାଷ କାର୍ଯ୍ୟକ୍ରମରେ ଆବଶ୍ୟକ ଯାବତିୟ କୃଷି ସାମଗ୍ରୀ ଯଥା ବିହନ, ରାସାୟନିକ ସାର, ଅଣୁସାର, ଜୀବାଣୁ ସାର, କୀଟନାଶକ ଔଷଧ ଆଦିରେ ସହାୟତା ରାଶି ପ୍ରଦାନ କରାଯାଉଛି । ଚାଷ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ କୃଷି ଯନ୍ତ୍ରପାତି, ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା, ଜଳସେଚନ ପାଇପ, sprinkler set ଇତ୍ୟାଦିରେ ରିହାତି ଦେଉଛନ୍ତି ଓ ଫସଲ ଚାଷ ପାଇଁ ଋଣ ସୁବିଧା ସହ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି କହିଥିଲେ ଉତ୍ପାଦିତ ଦ୍ରବ୍ଯର ସଂରକ୍ଷଣ ଓ ପ୍ରକ୍ରିୟା କରଣ ପାଇଁ ଉଦ୍ଯୋଗ, ବିଭିନ୍ନ କୃଷି ଫାର୍ମ ଓ ସମନ୍ନିତ କୃଷି ଫାର୍ମ ପ୍ରତିଷ୍ଠା ନିମନ୍ତେ ସହାୟତା କରୁଛନ୍ତି ବୋଲି କହିଥିଲେ।
ଆହୁରି ମଧ୍ୟ ଶ୍ରୀ ଖୁଣ୍ଟିଆ, ଧାନ ଚାଷ ପରବର୍ତ୍ତୀ ଜମିର ପରିଚାଳନା ନିମନ୍ତେ ଡାଲି ଓ ତୈଳବୀଜ ଫସଲର କ୍ଷେତ୍ର ପ୍ରଦର୍ଶନ, ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଫସଲ ବିବିଧିକରଣ, ଜଳସେଚନ ପ୍ରକଳ୍ପରେ ଜଳବାୟୁ ସହନଶୀଳ କୃଷି, ଲଘୁଶସ୍ଯର ସଂପ୍ରସାରଣ ପାଇଁ ଶ୍ରୀ ଅନ୍ନ ଅଭିଯାନ, ମକା ଫସଲର ସଂପ୍ରସାରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ମକା ମିସନ ଆଦି ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନା ମାଧ୍ୟମରେ କୃଷି ଜ୍ଞାନ କୌଶଳ ସମ୍ପର୍କିତ ତାଲିମ, କ୍ଷେତ୍ର ପ୍ରଦର୍ଶନ ଓ ପରିଭ୍ରମଣ ଭଳି କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି । ସମସ୍ତ କାର୍ଯ୍ୟକ୍ରମରେ ସ୍ବଚ୍ଛତା ପାଇଁ ଆମ ସରକାର ଅନଲାଇନ ପ୍ଲାଟଫର୍ମମାନ ପ୍ରଣୟନ କରୁଛନ୍ତି ଓ ପ୍ରତିଶୃତିବଦ୍ଧ ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପୃଥ୍ୱୀରାଜ ମଣ୍ଡଳ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA