


ବଲାଙ୍ଗିର, ୨୦ ଏପ୍ରିଲ୍ (ହି.ସ.)- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା, କୃଷକ ଦିବସ ଓ ‘ଅକ୍ଷିମୁଠି ଅନୁକୂଳ’ ପର୍ବ ଲର୍କିପାଲି ସ୍ଥିତ ରାଜେନ୍ଦ୍ର ଏକ୍ସପେରିମେଣ୍ଟାଲ କୃଷି ଫାର୍ମରେ ଉତ୍ସାହମୟ ପରିବେଶରେ ପାଳିତ ହୋଇଥିଲା । ଅତିଥିମାନେ ଭ୍ରାମ୍ୟମାଣ ‘ଆମ ବିହନ ରଥ’ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ପୌରୋହିତ୍ୟରେ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ଭୂମିପୂଜନ ଓ ପାରମ୍ପାରିକ ପୂଜାର୍ଚ୍ଚନା ପରେ କ୍ଷେତରେ ‘ଅକ୍ଷିମୁଠି ଅନୁକୂଳ’ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଗୋପାଳଜୀ ପାଣିଗ୍ରାହୀ, ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାପରିଷଦ ପ୍ରତିନିଧି ମାଧବ ସାଏ ଓ ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନ ଉପଲକ୍ଷେ ଆୟୋଜିତ ସଚେତନତା ସଭାରେ, ଅତିଥିମାନେ ଉପସ୍ଥିତ ଚାଷୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ, ସେମାନଙ୍କୁ ଆହୁରି ଜାଗ୍ରତ ଓ ଉଦ୍ୟମୀ ହେବା ପାଇଁ ପରାମର୍ଶ ଦେଇଥିଲେ। କୃଷି ଓ କୃଷକ ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ସେମାନେ ଗୁରୁତ୍ୱ ଦେଇଥିଲେ। କୃଷିଭିତ୍ତିକ ଉଦ୍ୟୋଗ ମାଧ୍ୟମରେ ଚାଷୀମାନେ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ । ସଚେତନତା ସଭାରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଧୀରେନ ସିଂ ବରିହା, ଅକ୍ଷୟ ତୃତୀୟା ର ମାହାତ୍ମ୍ୟ, ବିହନ ଓ ସାରର ସଦୁପଯୋଗ ତଥା ସଠିକ ଭାବରେ ଚାଷୀଙ୍କୁ ଡ଼ିବିଟି ମାଧ୍ୟମରେ ଯୋଗାଇ ଦିଆଯିବା ଉପରେ ଆଲୋଚନା କରିଥିଲେ।
ବଲାଙ୍ଗିର ଜିଲ୍ଲାରେ କୃଷି କ୍ଷେତ୍ରରେ ଅଗ୍ରଣୀ ଚାଷୀଙ୍କୁ କୃଷି ବିଭାଗ ବଲାଙ୍ଗିର ଦ୍ୱାରା ତୁରେକେଲା ବ୍ଲକର କରୁଆମୁଣ୍ଡା ଗ୍ରାମର ଅଗ୍ରଣୀ ମାଣ୍ଡିଆ ଚାଷୀ ତିଳ ମାଝିଙ୍କୁ ମାନପତ୍ର ଓ ଔପଢୋକନ ଅତିଥିମାନେ ପ୍ରଦାନ କରିଥିଲେ । ସେହିପରି, ବଲାଙ୍ଗିର ବ୍ଲକର ମାୟାବରା ଗ୍ରାମର ତୁଳସୀ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ମାନିତ କରାଯାଇ, ପ୍ରମାଣପତ୍ର ସହିତ ନଗଦ ୨୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜଳଛାୟା ପ୍ରକଳ୍ପ ଅଧିକାରୀ କଳ୍ପବଟ ବେହେରା, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡା. ସତ୍ୟମୟ ଶତପଥି, ନିର୍ବାହୀ ଯନ୍ତ୍ରୀ (କୃଷି) ଇଂ. ଲାସା ମୁର୍ମୁ, ମୃତ୍ତିକା ରସାୟନବିଦ୍ ଅଙ୍କିତା ମହାପାତ୍ର, ଆଞ୍ଚଳିକ ସଂପ୍ରସାରଣ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ସୁଧାକର ନନ୍ଦ, ବଲାଙ୍ଗିର କୃଷି ଜିଲ୍ଲା ଅଧିକାରୀ ପ୍ରମୋଦ କୁମାର ବଡପଣ୍ଡା, ଟିଟିଲାଗଡ କୃଷି ଜିଲ୍ଲା ଅଧିକାରୀ ଧବଳେଶ୍ଵର ପ୍ରଧାନ ପ୍ରମୁଖ ଉପସ୍ଥିତ ହୋଇ ଚାଷୀମାନଙ୍କୁ ବିଭାଗୀୟ କାର୍ଯ୍ୟକ୍ରମ ଓ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରିଥିଲେ।
ଏହା ପରେ ଆଭାଷୀ ମାଧ୍ୟମରେ ରାଜ୍ୟସ୍ତରୀୟ କୃଷକ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଦ୍ୱାରା ବଲାଙ୍ଗୀର ଆଞ୍ଚଳିକ ସଂପ୍ରସାରଣ ତାଲିମ ପ୍ରତିଷ୍ଠାନର ଅଡିଟୋରିୟମ୍ ରେ ‘ମୁଖ୍ୟମନ୍ତ୍ରୀ କିଷାନ ସହାୟତା’ ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶତାଧିକ ଚାଷୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମର ପରିଚାଳନା ସୁଧାକର ନନ୍ଦ କରିଥିଲେ। ବ୍ଲକ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ ଓ ବିଭାଗୀୟ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ