
ଝାରସୁଗୁଡ଼ା, ୨୦ ଏପ୍ରିଲ୍ (ହି.ସ.)- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଝାରସୁଗୁଡ଼ା ଜିଲ୍ଲାରେ କୃଷି କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି। ବଡ଼ମାଲ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପାରମ୍ପାରିକ ଓଡ଼ିଆ ପୋଷାକ ପରିଧାନ କରି ଜିଲ୍ଲାପାଳ ନିଜେ ବିଧି ଅନୁସାରେ ପୂଜାର୍ଚ୍ଚନା କରିବା ସହ 'ଅଖିମୁଠି ଅନୁକୂଳ' କରି ଚଳିତ ବର୍ଷର କୃଷି କାର୍ଯ୍ୟର ଶୁଭାରମ୍ଭ କରିଥିଲେ।
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ 'ସିଏମ୍ କିଷାନ ସହାୟତା' ଯୋଜନା ଅନ୍ତର୍ଗତ ଖରିଫ-୨୦୨୬ ନିମନ୍ତେ ସହାୟତା ରାଶି ପ୍ରଦାନ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲାର ୩୯,୧୩୨ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୭ କୋଟି ୮୨ ଲକ୍ଷ ୬୪ ହଜାର ଟଙ୍କା ହସ୍ତାନ୍ତର କରାଯାଇଛି। ଜିଲ୍ଲାର ୫ଟି ବ୍ଲକ୍ (ଲାଇକେରା, କୋଲାବିରା, କିର୍ମିରା, ଲଖନପୁର ଏବଂ ଝାରସୁଗୁଡ଼ା) ର କୃଷକମାନେ ଏଥିରେ ସାମିଲ ଅଛନ୍ତି। ଏଥିମଧ୍ୟରୁ ୩୮,୭୬୬ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୩୬୬ ଜଣ ଭୂମିହୀନ କୃଷି ପରିବାର ପ୍ରତ୍ୟେକଙ୍କୁ ୨,୦୦୦ ଟଙ୍କା ଲେଖାଏଁ ଡି.ବି.ଟି ମାଧ୍ୟମରେ ପ୍ରଦାନ କରାଯାଇଛି।
ଏହି ଅବସରରେ ଜିଲ୍ଲାପାଳ କହିଥିଲେ, ଅକ୍ଷୟ ତୃତୀୟା ଆମ ମାଟି ଏବଂ ମାଟିର ମଣିଷଙ୍କ ସମୃଦ୍ଧିର ପର୍ବ। କୃଷକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରି ଏକ ବିକଶିତ ଓଡ଼ିଶା ଗଠନ କରିବା ଦିଗରେ ରାଜ୍ୟ ସରକାରଙ୍କ ପ୍ରତିଟି ବିକାଶମୂଳକ କାର୍ଯ୍ୟକୁ ପ୍ରତିଫଳନ କରିବା ଜିଲ୍ଲା ପ୍ରଶାସନର ମୂଳ ଲକ୍ଷ୍ୟ। ଏଥିସହ ଜିଲ୍ଲାପାଳ, ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି ପାଇଁ ପ୍ରାର୍ଥନା ବୋଲି କହିଥିଲେ।
ଏଠାରେ ଉଲ୍ଲେଖନୀୟ ଯେ, ରାଜ୍ୟ ସରକାରଙ୍କ ଏହି ସହାୟତା ରାଶି ଚାଷୀଙ୍କୁ ଚଳିତ ଖରିଫ ଋତୁ ପାଇଁ ଆବଶ୍ୟକୀୟ ବିହନ ଓ ସାର କିଣିବାରେ ସହାୟକ ହେବ। କୃଷି କାର୍ଯ୍ୟରେ ନିୟୋଜିତ କ୍ଷୁଦ୍ର ଓ ଭୂମିହୀନ ପରିବାରଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ହିଁ ଏହି ଯୋଜନାର ଉଦ୍ଦେଶ୍ୟ।
ଏହି ସ୍ୱତନ୍ତ୍ର ସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନନ୍ଦନ ପଣ୍ଡା, ସାଂସଦଙ୍କ ପ୍ରତିନିଧି ଶ୍ଲୋକ ସର୍ନା ଏବଂ ବିଧାୟକଙ୍କ ପ୍ରତିନିଧି ହେମାରଞ୍ଜନ ସିଂ ଅତିଥି ଭାବେ ଯୋଗଦେଇ ସରକାରଙ୍କ କୃଷକ-ଅଭିମୁଖୀ ଯୋଜନା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା କୃଷି ମଞ୍ଚ ସଭାପତି ମୁରଲୀ ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନନ୍ଦ ଏବଂ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡ. ସମୀର ରଞ୍ଜନ ଦାସ ମଧ୍ୟ ଉପସ୍ଥିତ ରହି ଚାଷୀଙ୍କୁ ବୈଷୟିକ ଜ୍ଞାନକୌଶଳ ଓ ଉନ୍ନତ କୃଷି ପ୍ରଣାଳୀ ବିଷୟରେ ସଚେତନ କରାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ