ସିବିଏସଇ ପରୀକ୍ଷାରେ କେନ୍ଦୁଝର ଜିଲ୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମୂହର ଟପ୍ପର ହେଲେ ଦିବ୍ଯାଭାରତୀ ପଲେଇ
କେନ୍ଦୁଝର, ୨୦ ଏପ୍ରିଲ୍ (ହି.ସ.)- ପ୍ରକାଶ ପାଇଥିବା ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ଟିକିରାର ଛାତ୍ରୀ ଦିବ୍ଯା ଭାରତୀ ପଲେଇ ୯୮.୮ ପ୍ରତିଶତ ନମ୍ବର ରଖି ଜିଲ୍ଲାସ୍ତରୀୟ ଆଦର୍ଶ ବିଦ୍ୟାଳୟ ସମୂହର ଟପ୍ପର ହେବା ଏବଂ ଇନଫରମେସନ ଟେକ୍ନୋଲୋଜି ବିଷୟରେ ଶତ ପ୍ରତ
Adarsa oav student


କେନ୍ଦୁଝର, ୨୦ ଏପ୍ରିଲ୍ (ହି.ସ.)- ପ୍ରକାଶ ପାଇଥିବା ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ଟିକିରାର ଛାତ୍ରୀ ଦିବ୍ଯା ଭାରତୀ ପଲେଇ ୯୮.୮ ପ୍ରତିଶତ ନମ୍ବର ରଖି ଜିଲ୍ଲାସ୍ତରୀୟ ଆଦର୍ଶ ବିଦ୍ୟାଳୟ ସମୂହର ଟପ୍ପର ହେବା ଏବଂ ଇନଫରମେସନ ଟେକ୍ନୋଲୋଜି ବିଷୟରେ ଶତ ପ୍ରତିଶତ ନମ୍ବର ରଖିଥବାରୁ ବିଦ୍ୟାଳୟ ତରଫରୁ ଆଜି ଅଧ୍ୟକ୍ଷ ସମେତ ସମସ୍ତ ଗୁରୁଜୀଙ୍କ ଉପସ୍ଥିତିରେ ଦିବ୍ଯାଭାରତୀଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଦିବ୍ଯାଭାରତୀ ପଲେଇ ହେଉଛନ୍ତି ସାନମସିଣାବିଲା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ମିନା ବେହେରା ଓ ରାଧାକୃଷ୍ଣ ବିଦ୍ୟାପୀଠ କଣ୍ଡାପିଠାର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସଂଯୋଗୀ ସଜଫୁଲର ସଂପାଦକ ବାବୁଲାଲ ପଲେଇ ଙ୍କ କନିଷ୍ଠା କନ୍ଯା। ବିନା ଟ୍ଯୁସନ୍ ରେ ଦିନକୁ ଚାରି ପାଞ୍ଚ ଘଣ୍ଟା ପରିଶ୍ରମ, ଗୁରୁଜୀ ଗୁରୁମା ମାନଙ୍କ ଶିକ୍ଷା ଦାନ ଓ ମାର୍ଗଦର୍ଶନ, ବାପାମାଆ , ଗୁରୁଜନ ତଥା ସଂଯୋଗୀ ସଜଫୁଲର ମୁଖ୍ୟ ସଂପାଦକ ସନ୍ତୋଷ କୁମାର ପତି ଓ ସଂପର୍କୀୟ ଜେଜେ ବାପା ସୁରେନ୍ଦ୍ର କୁମାର ରାଉତଙ୍କ ଉତ୍ସାହପ୍ରଦ ପରାମର୍ଶ ତାଙ୍କୁ ଏହି ସଫଳତା ମିଳିଛି ବୋଲି ସେ ମୁକ୍ତ କଣ୍ଠରେ ପ୍ରକାଶ କରନ୍ତି।

ଏଠାରେ ସ୍ମରଣଯୋଗ୍ୟ ଯେ, ଦିବ୍ଯାଭାରତୀ କୁଣ୍ଡାପିଠା ପ୍ରାଥମିକ ବିଦ୍ୟାଳୟରୁ ତୃତୀୟ ଶ୍ରେଣୀ ଓ ଘଟଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ପଞ୍ଚମ ଶ୍ରେଣୀ ବୃତ୍ତି ପରିକ୍ଷାରେ ଘଟଗାଁ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଜିଲ୍ଲାସ୍ତରୀୟ ଟପ୍ପର ହୋଇଥିବାରୁ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଭ୍ରମରବର ମଲ୍ଲିକ, ଗୁରୁଜୀ ରମାକାନ୍ତ ସେଠୀ, ଅମନ ରାଠୋଡ, ସମୀର କୁମାର ନାଏକ, ବ୍ରହ୍ମାନନ୍ଦ ଶତପଥୀ, ଅମିତ ଦେହୁରୀ, ଲକ୍ଷ୍ମୀଧର ସାମଲ, ଗୁରୁମା ରାଜଶ୍ରୀ ପଣ୍ଡା, ପ୍ରିୟତମା ଦାସ, ସୌମ୍ଯା ସିଂ, କଲ୍ୟାଣୀ ମଲ୍ଲିକ ଓ ପୁଷ୍ପାଞ୍ଜଳି ସିଂ ପ୍ରମୁଖ ଗୁରୁଜୀ ଗୁରୁମା ଦିବ୍ଯାଭାରତୀଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି। ସମ୍ବର୍ଦ୍ଧିତ କରିବା ସମୟରେ ତାଙ୍କ ବାପା ବାବୁଲାଲ ପଲେଇ ମଧ୍ୟ ଉପସ୍ଥିତ ଥିଲେ।ଏହି ଖବର ପାଇ ବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀ, ନିଜ ଗ୍ରାମ ତଥା ସମଗ୍ର ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ଭବିଷ୍ୟତରେ କିଛି ନୂତନତ୍ବ ସୃଷ୍ଟି କରିବା ପାଇଁ ଜଣେ ବୈଜ୍ଞାନିକ ହୋଇ ଦେଶସେବା କରିବା ନିମନ୍ତେ ସେ ମନସ୍ଥ କରିଛନ୍ତି ବୋଲି ତାଙ୍କ ଠାରୁ ପ୍ରକାଶ। ତାଙ୍କର ମୂଳ ବାସସ୍ଥାନ କୁଣ୍ଡାପିଠା ହୋଇଥିଲେ ମଧ୍ୟ ବର୍ତ୍ତମାନ ଘଟଗାଁ ଅଗ୍ନିଶମ ସେବାକେନ୍ଦ୍ର ନିକଟରେ ସ୍ଥାୟୀ ଭାବରେ ବାପାମାଆଙ୍କ ସହିତ ରହୁଛନ୍ତି। ତାଙ୍କ ବଡ ଭଉଣୀ ବିଦ୍ଯାଭାରତୀ ପଲେଇ କଟକ ବଡ ମେଡିକାଲରେ ଫିଜିଓଥେରାପି ଡକ୍ଟର ରୂପେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande