

ବଲାଙ୍ଗିର, ୨୦ ଏପ୍ରିଲ୍ (ହି.ସ.)- ଜିଲ୍ଲାସ୍ତରୀୟ କବି ଶ୍ରୀଜୟଦେବ ଜୟନ୍ତୀ ଉତ୍ସବ ଆଜି ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଉତ୍ସାହମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡଃ ବିଜୟାନନ୍ଦ ସେଠି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ସମ୍ମାନୀୟ ଅତିଥିମାନଙ୍କ ମଧ୍ୟରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଅବସରପ୍ରାପ୍ତ ଅଧ୍ୟାପକ ଓ କବି ଡାଃ ପ୍ରେମଚାନ୍ଦ ପଟ୍ଟନାୟକ, ବିଶିଷ୍ଟ ଶିକ୍ଷାବିତ ସନାତନ ଠାକୁର, ଅଧ୍ୟାପକ ଓ କବି ସନ୍ଦୀପ କୁମାର କୁଅଁର, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ କବି ଶ୍ରୀଜୟଦେବଙ୍କ ଫୋଟୋଚିତ୍ରରେ ଭକ୍ତିପୂର୍ଣ୍ଣ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପରେ ସେମାନେ ଶ୍ରୀଜୟଦେବଙ୍କ ଜୀବନୀ, ତାଙ୍କର ଭକ୍ତିମୟ ସାହିତ୍ୟ ଓ ଓଡ଼ିଆ ସଂସ୍କୃତିରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ସାହିତ୍ୟ, ସଙ୍ଗୀତ ଓ ସଂସ୍କୃତିର ସମନ୍ୱୟରେ ଆୟୋଜିତ ଏହି ଉତ୍ସବରେ ସ୍ଥାନୀୟ କବି, ଶିକ୍ଷାବିତ, ସାହିତ୍ୟପ୍ରେମୀ ଓ ଛାତ୍ରଛାତ୍ରୀମାନେ ବିଶେଷ ଉତ୍ସାହ ସହିତ ଯୋଗଦେଇଥିଲେ ।
ଏହି ଅବସରରେ ବଲାଙ୍ଗିର ଶ୍ରୀ ଜୟଦେବ କଳା ସଂସଦ ଦ୍ଵାରା ଭକ୍ତିମୟ ସଂଗୀତ କାର୍ଯ୍ୟକ୍ରମ ଓ ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ