
ସମ୍ବଲପୁର, ୨୦ ଏପ୍ରିଲ୍ (ହି.ସ.)- ଆଜି ସମ୍ବଲପୁର କୁଲତା ସମାଜ ପକ୍ଷରୁ ସ୍ଥାନୀୟ ରାମଚଣ୍ଡୀ ସେବା ସଦନ ପରିସରରେ ୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦିବଙ୍ଗତ ବିଶିଷ୍ଟ ବ୍ୟକ୍ତିଙ୍କ ପରିବାର ସଦସ୍ୟ, ସଦସ୍ୟା ମାନଙ୍କ ସହ କୁଲତା ସମାଜର ସଦସ୍ୟ ମାନେ ଉପସ୍ଥିତ ଥିଲେ। କୁଲତା ସମାଜ ସଭାପତି କୃପାସିନ୍ଧୁ ଖମାରୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପରେ କୁଲତା ସମାଜର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ଡ଼ା. ମହାଦେବ ପ୍ରଧାନ, ବୋଦ୍ଧାୟନ ସାହୁ (ବୁଢାରଜା), ବଂଶୀଧର ପ୍ରଧାନ (ଦାନୀପାଲି), ଅବଧୁତ ପାତ୍ର (ମୋଦିପଡ଼ା), ପ୍ରଭାକର ପ୍ରଧାନ (ମୁଦିପଡ଼ା), ଅକୃର ପ୍ରଧାନ (ଦାନୀପାଲି) ଓ ପ୍ରେମାନନ୍ଦ ପ୍ରଧାନ (କମଲିବଜାର)ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ଜଳନ କରାଯାଇ ସ୍ମୃତି ଚାରଣ କରାଯାଇଥିଲା। କୁଲତା ସମାଜର ସଭାପତି ସ୍ୱର୍ଗତ ମହାଦେବ ପ୍ରଧାନ ସିକିଲିନ ରୋଗ ନିରାକରଣ ପାଇଁ କରିଥିବା ମହତ କାର୍ଯ୍ୟ ବିଷୟରେ ବକ୍ତାମାନେ ମତାମତ ଦେଇଥିଲେ । ସ୍ୱର୍ଗତ ବଂଶୀଧର ପ୍ରଧାନ ସେବା ସଦନ ପାଇଁ ଜମି ଦାନ କରିଥିଲେ ଏବଂ ପ୍ରତ୍ୟେକ କାର୍ଯ୍ୟକ୍ରମରେ ନିଜେ ଦାୟିତ୍ୱ ତୁଲାଇବା ସହ ସେ ଜଣେ ଭଲ ସଂଗଠକ ଭାବେ ବେଶ୍ ପରିଚିତ ଥଲେ । ସ୍ୱର୍ଗତ ଅକ୍ରୁର ପ୍ରଧାନ ମଧ୍ୟ ସେବା ସଦନର ପ୍ରତ୍ୟେକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଜଣେ ଭଲ ସଂଗଠକ ଥିଲେ ବୋଲି ଉପସ୍ଥିତ ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ।
ଦେବୀ ପ୍ରସାଦ ଭୋଇଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭକ୍ତବନ୍ଧୁ ପ୍ରଧାନ, ସୁକାନ୍ତି ଗଡତିଆ, ଶ୍ରୀକୃଷ୍ଣ ପ୍ରସାଦ ପ୍ରଧାନ, ସୁଦାମ ଭୋଇ, ଦେବଦତ୍ତ ସାହୁ, ମୁରଲୀ ପ୍ରଧାନ, ମୋତିଲାଲ ପାତ୍ର, ସରୋଜ ପ୍ରଧାନ, ଶୁକଦେବ ପ୍ରଧାନ, ଅକ୍ଷୟ ପ୍ରଧାନ, ଜଟା ଭୂଷଣ ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ