
କେନ୍ଦୁଝର, ୨୦ ଏପ୍ରିଲ୍ (ହି.ସ.)- କଳା ଓ ସଂସ୍କୃତିକୁ ଆଗେଇ ନେବା ପାଇଁ ‘ନିରାକାନ୍ତ ଆର୍ଟସ୍ ଫାଉଣ୍ଡେସନ୍'ର ଭବ୍ୟ ଉଦ୍ଘାଟନ ଉତ୍ସବ ସ୍ଥାନୀୟ ସେଲ୍ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ସଂସ୍ଥା ମାଧ୍ୟମରେ ଥିଏଟର ଅଭିନୟ, ନୃତ୍ୟ ଓ ବିଭିନ୍ନ କଳାମୂଳକ ବିଷୟରେ ପ୍ରଶିକ୍ଷଣ ଦିଆଯିବ। ଏହି ଫାଉଣ୍ଡେସନ୍ଟିକୁ ପ୍ରତିଷ୍ଠା କରିଛନ୍ତି କେନ୍ଦୁଝର ସହରର ଜଣେ ଉଦ୍ୟମି ଯୁବକ ଅବିନାଶ ରାଉତ, ଯାହାଙ୍କ ଲକ୍ଷ୍ୟ ହେଉଛି ସ୍ଥାନୀୟ ଯୁବପୀଢ଼ୀଙ୍କୁ କଳା କ୍ଷେତ୍ରରେ ସୁଯୋଗ ଦେବା ସହିତ ଓଡ଼ିଶାର ସମୃଦ୍ଧ ସଂସ୍କୃତିକୁ ସୁରକ୍ଷିତ ଓ ପ୍ରଚାର କରିବା। ଉଦ୍ଘାଟନ ଅବସରରେ ବଲିଉଡ୍ ଏବଂ ମରାଠୀ ତାରକା ଶିବ୍ ଠାକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ସେ କହିଥିଲେ ଯେ, ଏପରି ମଞ୍ଚ ଗୁଡ଼ିକ ଯୁବ ପ୍ରତିଭାମାନଙ୍କୁ ଉନ୍ନତ କରିବାରେ ବଡ଼ ଭୂମିକା ନେଉଛି ଏବଂ ସେମାନେ ନିଜ ସ୍ବପ୍ନକୁ ସାକାର କରିବାକୁ ଏହିପରି ସଂସ୍ଥାମାନଙ୍କ ସହ ଯୋଡ଼ି ହେବା ଉଚିତ୍। ଏହି ଅବସରରେ ଓଲିଉଡ୍ ଅଭିନେତ୍ରୀ ଶୀତଲ୍ ପାତ୍ର ମଧ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ସେ ଏହି ପଦକ୍ଷେପକୁ ସ୍ବାଗତ କରିବା ସହିତ କହିଥିଲେ ଯେ, ଛୋଟ ଅଞ୍ଚଳରେ ଏପରି ସଂସ୍ଥା ସୃଷ୍ଟି ହେବା ଦ୍ବାରା ପ୍ରତି ପ୍ରତିଭାମାନେ ନୂଆ ମଞ୍ଚ ପାଇବେ। ଉଦ୍ଘାଟନ ଉତ୍ସବରେ ଅନୁଷ୍ଠାନର ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ନୃତ୍ୟ, ରାମ୍ପ୍ ୱାକ୍ ଓ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା, ଯାହା ଦର୍ଶକମାନଙ୍କୁ ମୋହିତ କରିଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଅବିନାଶ ରାଉତ କହିଥିଲେ ଯେ, ଏହି ଫାଉଣ୍ଡେସନ୍ ମାଧ୍ଯମରେ ପ୍ରଶିକ୍ଷଣ, ୱର୍କଶପ୍ ଓ ମଞ୍ଚ ପ୍ରଦର୍ଶନର ସୁଯୋଗ ଯୋଗାଇ ଯୁବମାନଙ୍କୁ ପେଶାଦାର କଳାକାର ଭାବେ ଗଢ଼ି ତୋଳାଯିବ।
ଏହି କାର୍ଯ୍ୟକ୍ରମ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ, ଓସ୍କା ଅଧ୍ଯକ୍ଷା ଧରିତ୍ରୀ ରାଉତ, ଜିଲ୍ଲା ବିଜେଡ଼ି ସଭାପତି ଆଶିଷ ଚକ୍ରବର୍ତ୍ତୀ, କଂଗ୍ରେସର ସାଂସଦ ପ୍ରାର୍ଥୀ ବିନୋଦ ନାଏକ ଏବଂ ସମାଜସେବୀ ସଂଗ୍ରାମ ଦାସ ସମ୍ମାନିତ ଅତିଥ୍ ଭାବେ ଯୋଗ ଦେଇଥିଲେ। କେନ୍ଦୁଝର ଜିଲ୍ଲାର ଅଗ୍ରଣୀ କଳା ସଂସ୍ଥା ଇନ୍ଦ୍ରଧନୁ ଦ୍ବାରା ବହୁ ମନୋରଞ୍ଜନକାରୀ ନୃତ୍ୟ ପରିବେଷଣ କରାଯାଇଥିଲା। ‘ନିରାକାନ୍ତ ଆର୍ଟସ୍ ଫାଉଣ୍ଡେସନ୍'ର ଏହି ଆରମ୍ଭ କେନ୍ଦୁଝରର ସଂସ୍କୃତିକ ପରିବେଶକୁ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA