
ଭୁବନେଶ୍ୱର, ୨୦ ଅପ୍ରେଲ (ହି.ସ.)- ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ଆଗାମୀ ୫ ଦିନ ଅର୍ଥାତ୍ ଆସନ୍ତା ୨୫ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ୨ ଜିଲ୍ଲା (କେନ୍ଦୁଝର, ମୟୂରଭଞ୍ଜ)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଦେବଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ନୟାଗଡ଼, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି । ଚେତାବନୀ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୩୦ରୁ ୪୦ କି.ମି., ଅନ୍ୟ କେତେକ ସ୍ଥାନରେ ଘଂଟା ପ୍ରତି ୪୦ରୁ ୫୦ କି.ମି. ଏବଂ ଆଉ କେତେକ ସ୍ଥାନରେ ଘଂଟା ପ୍ରତି ପବନର ବେଗ ୫୦ରୁ ୬୦ କି.ମି. ରହିପାରେ ।
ସେହିପରି ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ୨୧ ତାରିଖ ସକାଳ ଠାରୁ ୨୨ ତାରିଖ ସକାଳ ସୁଦ୍ଧା ୨୪ ଜିଲ୍ଲା, ୨୨ ତାରିଖ ସକାଳ ଠାରୁ ୨୩ ତାରିଖ ସକାଳ ସୁଦ୍ଧା ୫ ଜିଲ୍ଲା, ୨୩ ତାରିଖ ସକାଳ ଠାରୁ ୨୪ ତାରିଖ ସକାଳ ସୁଦ୍ଧା ୫ ଜିଲ୍ଲା ଏବଂ ୨୪ ତାରିଖ ସକାଳ ଠାରୁ ୨୫ ତାରିଖ ସକାଳ ସୁଦ୍ଧା ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପରବର୍ତୀ ୨ ଦିନ ଅପ୍ରେଲ ୨୫ ତାରିଖ ସକାଳ ଠାରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ