

ମୁଖୀଗୁଡା, ୨୦ ଏପ୍ରିଲ (ହି.ସ.)- ପିଆଜ ଏକ ଅର୍ଥକାରି ଫସଲ । ହେଲେ ଶୀତଳ ଭଣ୍ଡାର ଓ ବଜାର ବ୍ୟବସ୍ଥା ନଥିବା ଯୋଗୁଁ ଏବେ ପିଆଜ ଚାଷୀକୁ କ୍ଷତି ସହିବାସହ ଅମଳ ହୋଇଥିବା ପିଆଜକୁ ସାଗ ମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ । ଅନ୍ୟପକ୍ଷେ ଚଳିତ ବର୍ଷ ଅମଳ ପୂର୍ବରୁ ଏକାଧିକ ବାର କୁଆପଥର ମାଡ଼ ସହ କାଳ ବୈଶାଖୀ ବର୍ଷା ଯୋଗୁଁ ପିଆଜ ନଷ୍ଟ ହେବା ଫଳରେ ପିଆଜ ଚାଷୀ ଆଖିରେ ଲୁହ ଦେଖିବାକୁ ମିଳିଛି। ପିଆଜ ଏଭଳି ଏକ ଫସଲ କେତେବେଳେ ଦର ବୃଦ୍ଧି ହୋଇ ଖାଉଟିକୁ କନ୍ଦାଇ ଥାଏ ତ କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ, ଖରା ବର୍ଷା ଯୋଗୁଁ ବିଲରେ ନଷ୍ଟ ହେଲେ ଚାଷୀକୁ କାନ୍ଦିବାକୁ ପଡ଼ିଥାଏ। ଏଭିଲି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଚାଷୀଙ୍କ ଠାରେ। ଚଳିତ ରବି ଋତୁରେ ପିଆଜ ଚାଷ କରିଥିବା ଚାଷୀ ଏବେ ସଙ୍କଟ ମଧ୍ୟରେ ଗତି କରୁଛନ୍ତି। ଖର୍ଚ୍ଚ କରି ଚାଷ କରିଥିଲେ ଚାଷୀ ହେଲେ ଚଳିତବର୍ଷର ମାର୍ଚ୍ଚ ଓ ଏପ୍ରିଲ ମାସରେ ଏକାଧିକ ବାର କୁଆପଥର ବର୍ଷା ହୋଇ ପିଆଜ ଚାଷୀକୁ କ୍ଷତିରେ ପକାଇଛି । ଅମଳ ପରେ ଚାଷୀ ବିକ୍ରି କରିବା ପାଇଁ ଏ ବଜାରରୁ ସେ ବଜାର ବୁଲୁଥିବା ବେଳେ ପିଆଜ ବିକ୍ରି ପାଇଁ ବଜାରର ବ୍ୟବସ୍ଥା ନଥିବାରୁ ଏବେ ସାଗମାଛ ଦରରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛି।
ଗୋତୋମୁଣ୍ଡା ଚାଷୀ ଜୟ ଶଙ୍କର ନାଗଙ୍କ କହିବା ଅନୁସାରେ, ସେ ନିଜ ୩ ଏକର ଜମିରେ ପିଆଜ ଚାଷ କରି ୧୨ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ୮୦ ହଜାର ଟଙ୍କା ଲାଭ ପାଇ ଥାନ୍ତେ ହେଲେ ୩୦ ହଜାର ଟଙ୍କା ପାଇବେ ବୋଲି ଆଶା ରଖିଛନ୍ତି। ସେହିପରି ନିରଞ୍ଜନ ନାଗ ଏକ ଏକର ଜମିରେ ପିଆଜ ଚାଷ କରିଥିଲେ ବର୍ଷା ଯୋଗୁଁ ପିଆଜ ନଷ୍ଟ ହୋଇଥିବା ବେଳେ ଅମଳ ପିଆଜକୁ ରଖିବାକୁ ବ୍ୟବସ୍ଥା ନଥିବା ବେଳେ ୫୦ କେଜି ବସ୍ତାକୁ ୫ ଶହ ଟଙ୍କାରେ ବିକ୍ରୀ କରୁଛନ୍ତି। ଜୟଶଙ୍କର କେତକୀଙ୍କ କହିବା ଅନୁସାରେ, ପିଆଜ ଚାଷପାଇଁ ୫୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ୨ ଲକ୍ଷ ଲାଭ ହେବ ବୋଲି ଆଶା ରଖିଥିଲେ ପିଆଜ ନଷ୍ଟ ଯୋଗୁଁ ୧ ଲକ୍ଷ ଟଙ୍କା କ୍ଷତି ସହିବେ ବୋଲି ପ୍ରକାଶ କରିଛନ୍ତି। ସେହିପରି ଠୁଟିବର ଗାଁର ଚାଷୀ ବିଶିକେଶନ ଗୋପାଳ ୩ ଏକର ପିଆଜ ଚାଷ କରୁଥିଲେ ସେ ମଧ୍ୟ ଲକ୍ଷାଧିକ ଟଙ୍କା କ୍ଷତି ସହିବେ ବୋଲି କହିଛନ୍ତି। ରେମତି ନାଏକ ମଧ୍ୟ ୫୦ ଡିସମିଲ ଚାଷ କରିଥିଲେ ତାଙ୍କର ପିଆଜ ମଧ୍ୟ କୁଆପଥରମାଡରେ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି।
ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କୋକସରା ବ୍ଲକ ରେ ଚଳିତ ବର୍ଷ ରବି ଋତୁରେ ୭୦ ହେକ୍ଟର ଜମିରେ ପିଆଜ ଚାଷ କରିଛନ୍ତି ଚାଷୀ ଡିସେମ୍ବର ମାସରେ ଧାନ ଅମଳ ପରେ ପାଗ ଅନୁକୁଳ ଦେଖି ଚାଷ ଜମିରେ ପ୍ରଥମେ ଚାରା ପ୍ରସ୍ତୁତ ପରେ କିଆରୀରେ ରୋପଣ କରି ଯତ୍ନ ନେଇଥିଲେ ଆଶା କରିଥିଲେ ଭଲ ଅମଳ ହେବ ବୋଲି ହେଲେ ମାର୍ଚ୍ଚ ଓ ଏପ୍ରିଲରେ ଏକାଧିକ ବାର କାଳବୈଶାଖି ଓ ଅଦିନିଆ ବର୍ଷା ଯୋଗୁଁ ପିଆଜ ଚାଷକୁ ନଷ୍ଟ କରି କ୍ଷତିରେ ପକାଇଛି । ଏବେ ଅମଳ ବେଳେ ପିଆଜ କିଆରିରୁ କ୍ଵିଣ୍ଟାଲ କ୍ଵିଣ୍ଟାଲ ପିଆଜ ନଷ୍ଟ ହୋଇ ବିଲରେ ଫିଙ୍ଗାଯାଉଛି। ବର୍ଷା ଯୋଗୁଁ ବିଲ ମାନଙ୍କରେ ପିଆଜ ନଷ୍ଟ ହୋଇଥିବା ବେଳେ ଅମଳ ମଧ୍ୟ କମିଯାଇଛି ଫଳରେ ଚାଷୀ ଲାଭ ପାଇବାରୁ ବଞ୍ଚିତ ହେବା ପ୍ରକାଶ କରିଛନ୍ତି ।
ବ୍ଲକର ଅଣ ଜଳସେଚିତ ଅଞ୍ଚଳରେ ଥିବା ଗୋତୋମୁଣ୍ଡା, ସାନପୋଡ଼ାଗୁଡା ନେଗିଗୁଡା, ଥୁଟିବର୍, ଟେମରା, ବରାଡଙ୍ଗା, ସିଉନି, କାଶୀବାହାଲ, ଫୁପଗାଁ ଆଦି ଗ୍ରାମର ଚାଷୀ ମାନେ ଖରିଫ ଧାନ ଅମଳ ପରେ ପିଆଜ ବିହନକୁ ତଳି ପକାଇ ପରବର୍ତ୍ତୀ ସମୟରେ ରୋପଣ କରିଥିଲେ ଚାଷ ଠିକ୍ ଥିଲା ହେଲେ ଅମଳ ବେଳକୁ କୁଆପଥରବର୍ଷାର ପ୍ରଭାବରେ ନଷ୍ଟ ହୋଇଯାଇଛି ବାକି ଅମଳ ପିଆଜକୁ ଧରି ଚାଷୀ ଗାଁ ଗାଁ ବିକ୍ରି ପାଇଁ ନେଉଥିବା ବେଳେ ସାଗମାଛ ଦରରେ ବିକ୍ରି କରୁଛି । ଚାଷୀଙ୍କ ପାଇଁ ପିଆଜ ରଖିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନ ଥିବାରୁ ଅମଳ ପରେ ତୁରନ୍ତ ୫୦ କେଜିକୁ ୫୦୦ ଶହରୁ ୬ ଶହ ଟଙ୍କାରେ ବିକ୍ରି କରି କ୍ଷତି ସହୁଛନ୍ତି ।
ଏ ନେଇ ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀଙ୍କୁ ପଚାରିବାରୁ କାଳବୈଶାଖୀ ବର୍ଷାରେ ଚାଷୀଙ୍କ ପିଆଜ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ଆସିବା ପରେ ବିଭାଗୀୟ କର୍ମଚାରି କ୍ଷେତ୍ର ପରିଦର୍ଶନକରିଛନ୍ତି । ଚାଷୀ ମାନଙ୍କୁ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିବା ପାଇଁ କୁହାଯାଇଛି । ଚାଷୀଙ୍କ ଅଭିଯୋଗ ପରେ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ନିହାର