
ନୂଆଦିଲ୍ଲୀ, ୨୦ ଅପ୍ରେଲ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କାଶ୍ମୀରର ଉଧମପୁରରେ ଘଟିଥିବା ଦୁଃଖଦ ବସ୍ ଦୁର୍ଘଟଣା ପାଇଁ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ରାଷ୍ଟ୍ରପତି ଏକ୍ସ ରେ ଏନେଇ ପୋଷ୍ଟ କରିଛନ୍ତି ଯେ, ଜମ୍ମୁ-କାଶ୍ମୀରର ଉଧମପୁର ଜିଲ୍ଲାରେ ଘଟିଥିବା ବସ୍ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିବା ଜାଣି ମୁଁ ଗଭୀର ଦୁଃଖିତ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ପ୍ରତି ମୁଁ ମୋର ସମବେଦନା ବ୍ୟକ୍ତ କରୁଛି । ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଉଧମପୁରରେ ବସ୍ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ସେ ଗଭୀର ଦୁଃଖିତ । ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଜନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ) ରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ । ଏଥି ସହିତ ଆହତମାନଙ୍କୁ ୫୦ ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯିବ ।
ଏଠାରେ ଉଲ୍ଲେଖଯୋଗ୍ୟ, ସୋମବାର ଦିନ ଜାମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ପାହାଡ଼ ତଳକୁ ଖସିପଡି ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨୦ ଜଣ ଆହତ ହୋଇଥିଲେ । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ