
ରାଉରକେଲା, ୨୦ ଅପ୍ରେଲ (ହି.ସ.)- ଆସନ୍ତାକାଲି ଦିନିକିଆ ରାଉରକେଲା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଆଜି କାରକେଡ୍ ରିହଲସଲ୍ ସରିଛି । ରାଉରକେଲା ବିମାନବନ୍ଦର ପାଖ ପଡିଆରେ ଏକ ବିରାଟ କାର୍ଯ୍ୟକ୍ରମ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକଣା ଜାରି କରିଛନ୍ତି ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର । ବିମାନବନ୍ଦର ଅଂଚଳ, ଟ୍ରାଇବାଲ ମ୍ୟୁଜିୟମ, ସର୍କିଟ ହାଉସ ସମେତ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ଥିବା ଅଂଚଳକୁ ନୋ ଡ୍ରୋନ ଜୋନ ବା ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି । ସେସବୁ ଅଂଚଳରେ ଡ୍ରୋନ ବା ବିମାନ ଉଡାଣ କରିପାରିବ ନାହିଁ । ଏହି କଟକଣା ଆଗାମୀ ୨୨ ତାରିଖ ସକାଳ ପର୍ଯ୍ୟନ୍ତ ବଳବତର ରହିବ ।
ଏଠାରେ ସୂଚନାଯୋଗ୍ୟ, ଏହି ଗସ୍ତ କାଳରେ ରାଷ୍ଟ୍ରପତି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଭର୍ଚୁଆଲି କରିବା ସହିତ କେତେକ ସ୍ଥାନକୁ ସେ ନିଜେ ଯିବେ ଏବଂ ସେକ୍ଟର ୧୩ ପଡିଆରେ ନିଜ ଅଭିଭାଷଣ ରଖିବେ । ରାଷ୍ଟ୍ରପତିଙ୍କ ସମ୍ପୂର୍ଣ୍ଣ ଗସ୍ତକୁ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ରାଉରକେଲାରେ ରହି ଅନୁଧ୍ୟାନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ଆସନ୍ତାକାଲି ରାଉରକେଲାରେ ଉପସ୍ଥିତ ରହିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ