ଭେଡେନ–ଇବ ନଦୀରୁ ବେଆଇନ ଜଳ ଉଠାଇବା ବିରୋଧରେ ଅଞ୍ଚଳବାସୀଙ୍କ ଆନ୍ଦୋଳନ
ଝାରସୁଗୁଡ଼ା, ୨୦ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଜୀବନରେଖା ଭାବେ ପରିଚିତ ଭେଡେନ ଓ ଇବ ନଦୀରୁ ବେଆଇନ ଭାବେ ଜଳ ଉଠାଇବାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ହିର୍ମା ଓ ବଡ଼ମାଳ ଅଞ୍ଚଳରେ ଥିବା ଏସଏମସି କମ୍ପାନୀଙ୍କ ବିରୋଧରେ ସୋମବାର ଶତାଧିକ ମହିଳା ଓ ଗ୍ରାମବାସୀ ପମ୍ପ ହାଉସ
ଭେଡେନ–ଇବ ନଦୀରୁ ବେଆଇନ ଜଳ ଉଠାଇବା ବିରୋଧରେ ଅଞ୍ଚଳବାସୀଙ୍କ ଆନ୍ଦୋଳନ


ଝାରସୁଗୁଡ଼ା, ୨୦ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଜୀବନରେଖା ଭାବେ ପରିଚିତ ଭେଡେନ ଓ ଇବ ନଦୀରୁ ବେଆଇନ ଭାବେ ଜଳ ଉଠାଇବାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ହିର୍ମା ଓ ବଡ଼ମାଳ ଅଞ୍ଚଳରେ ଥିବା ଏସଏମସି କମ୍ପାନୀଙ୍କ ବିରୋଧରେ ସୋମବାର ଶତାଧିକ ମହିଳା ଓ ଗ୍ରାମବାସୀ ପମ୍ପ ହାଉସ ସମ୍ମୁଖରେ ଧାରଣା ଦେଇଥିଲେ।

ସୂଚନାନୁସାରେ, ଏସଏମସି କମ୍ପାନୀର ୟୁନିଟ–୧ (ହିର୍ମା) ଓ ୟୁନିଟ–୨ (ବଡ଼ମାଳ) ଦ୍ୱାରା ଅଣମୌସୁମୀ ସମୟରେ ନଦୀରୁ ଜଳ ଉଠାଯାଉଥିବାରୁ ଏହାକୁ ବିରୋଧ କରି ବଡ଼ମାଳ, ହିର୍ମା, ଜମେରା ଓ ମରାକୁଟା ଗ୍ରାମପଞ୍ଚାୟତର ଲୋକେ ଏହି ଆନ୍ଦୋଳନରେ ସମିଳିତ ହୋଇଥିଲେ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗ୍ରୀଷ୍ମ ଋତୁରେ ଭେଡେନ ଓ ଇବ ନଦୀର ଜଳସ୍ତର ହ୍ରାସ ପାଇଥାଏ। ଏହି ସମୟରେ ନଦୀର ଅଳ୍ପ ପାଣି ଉପରେ ନିର୍ଭର କରି ଗ୍ରାମବାସୀ ଦୈନିକ କାର୍ଯ୍ୟ, ପାନୀୟ ଜଳ ଓ ପଶୁପାଳନ ସମ୍ବନ୍ଧୀୟ କାମ ସମ୍ପାଦନ କରନ୍ତି। କିନ୍ତୁ କମ୍ପାନୀ ପକ୍ଷରୁ ଜଳ ଉଠାଯିବା ଫଳରେ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଗଭୀର ହୋଇପଡ଼ିଛି। ମଣିଷ ସହିତ ପଶୁପକ୍ଷୀମାନେ ମଧ୍ୟ ଜଳାଭାବରେ ପୀଡ଼ିତ ହେଉଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ୨୦୨୦ ମସିହା ଜୁଲାଇ ୭ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଅଣମୌସୁମୀ ସମୟରେ ନଦୀରୁ ଜଳ ଉଠାଇବାକୁ ନିଷେଧ କରାଯାଇଥିଲା। କମ୍ପାନୀକୁ ନିଜ ପରିସରରେ ଜଳ ସଂରକ୍ଷଣ କରି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିବା ସତ୍ତ୍ୱେ, ଏହାକୁ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। ଗତ ଦୁଇ ମାସ ଧରି ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ପ୍ରଭାବଶୀଳ ପଦକ୍ଷେପ ନିଆଯାଇନଥିବାରୁ ଲୋକମାନେ ଆନ୍ଦୋଳନରେ ବସିଥିଲେ। ଧାରଣା ସ୍ଥଳକୁ ପ୍ରଶାସନ ପହଞ୍ଚିବାରେ ବିଳମ୍ବ ହେବାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ପ୍ରଶାସନ ପକ୍ଷରୁ ଆସନ୍ତା ଦୁଇ ଦିନ ମଧ୍ୟରେ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱାସନ ଦେବା ପରେ ଧାରଣା ହଟାଯାଇଥିଲା।

ଏନେଇ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା କହିଛନ୍ତି ଯେ, ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରୁ ଚିଠି ପ୍ରାପ୍ତ ହୋଇଛି ଏବଂ ଜଳସମ୍ପଦ ବିଭାଗର ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରାଯିବ।

ଅନ୍ୟପକ୍ଷରେ, କମ୍ପାନୀ ଅଧିକାରୀ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲା ମାତ୍ର ସେ ଫୋନ୍ ଉଠାଇନଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଯଦି ଶୀଘ୍ର ସମାଧାନ ନ ହୋଇ ଆଗାମୀ ଦିନରେ ପୁନର୍ବାର ନଦୀରୁ ଜଳ ଉଠାଯାଏ, ତେବେ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande