
ଜୟପୁର, ୨୦ ଏପ୍ରିଲ୍ (ହି.ସ.)- ବୋରିଗୁମ୍ମା ଚାଲାଣଗୁଡ଼ା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଏକ ଜଳ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜଳ ସେବା ଶିବିରରେ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ ଏବଂ ଇକୋ କ୍ଲବର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ବାହାରେ ପଥଚାରୀ ମାନଙ୍କୁ ମିଠା ଦହି ସର୍ବତ ଏବଂ ଚଲ୍ହା ବଣ୍ଟନ କରିଥିଲେ। ବିଦ୍ୟାଳୟ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଯୋଗୁଁ ବହୁ ପଥଚାରୀ ଗ୍ରୀଷ୍ମ ପ୍ରବାହରେ ଯିବା ଆସିବା କରନ୍ତି। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଧାଶ୍ୟାମ ସାହୁ ଯେ କି ଜଣେ ଜୁନିୟର ରେଡ଼କ୍ରସର ଜିଲ୍ଲା ସାଧନ କର୍ମୀ ତାଙ୍କରି ତତ୍ୱାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି ଜଳ ସେବା ଶିବିର ଆୟୋଜନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ସମନ୍ଧିୟ ସଚେତନ ବାର୍ତ୍ତା ମଧ୍ୟ ପଥଚାରୀ ମାନଙ୍କୁ ଦେଇଥିଲେ। ବୃକ୍ଷ ରୋପଣ, ସ୍ୱଚ୍ଛତା ଇତ୍ୟାଦି ବାର୍ତ୍ତା ପ୍ଲାକାର୍ଡରେ ଲେଖି ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଇନାର୍ଜୀ କ୍ଲବ ର ଛାତ୍ରଛାତ୍ରୀ ସାହାଯ୍ୟ କରିବା ସହ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସୁନି ବିଶୋଇ, ଶ୍ରୀମତୀ ଅଳକା ବେବର୍ତା, ସୌରଭ ଜାନୀ, ହୃଷିକେଶ ଦିସାରି ଏବଂ ବିଜୟ ସୌରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି