ସ୍ନେହ ସେତୁ’ରେ ମିଳିଲା ନୂଆ ଜୀବନ : ବିହାରରୁ ଉଦ୍ଧାର ହେଲେ ଝାରସୁଗୁଡ଼ାର ନରେନ୍ଦ୍ର
ଝାରସୁଗୁଡ଼ା, ୨୧ ଏପ୍ରିଲ୍ (ହି.ସ.)- ସୋସିଆଲ୍ ମିଡିଆ ଓ ସମ୍ବେଦନଶୀଳ ପ୍ରଶାସନର ସମନ୍ୱୟ କିପରି ଜଣେ ନିଖୋଜ ବ୍ୟକ୍ତିଙ୍କୁ ପୁଣିଥରେ ପରିବାର ସହ ମିଶାଇପାରେ, ତାହାର ଏକ ସ୍ପର୍ଶକାରୀ ଉଦାହରଣ ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ପରିକଳ୍ପନାର ‘ସ୍ନେହ ସେତୁ’ ଅ
ସ୍ନେହ ସେତୁ’ରେ ମିଳିଲା ନୂଆ ଜୀବନ : ବିହାରରୁ ଉଦ୍ଧାର ହେଲେ ଝାରସୁଗୁଡ଼ାର ନରେନ୍ଦ୍ର


ଝାରସୁଗୁଡ଼ା, ୨୧ ଏପ୍ରିଲ୍ (ହି.ସ.)- ସୋସିଆଲ୍ ମିଡିଆ ଓ ସମ୍ବେଦନଶୀଳ ପ୍ରଶାସନର ସମନ୍ୱୟ କିପରି ଜଣେ ନିଖୋଜ ବ୍ୟକ୍ତିଙ୍କୁ ପୁଣିଥରେ ପରିବାର ସହ ମିଶାଇପାରେ, ତାହାର ଏକ ସ୍ପର୍ଶକାରୀ ଉଦାହରଣ ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ପରିକଳ୍ପନାର ‘ସ୍ନେହ ସେତୁ’ ଅଭିଯାନ ମାଧ୍ୟମରେ ଦେଢ଼ ବର୍ଷ ଧରି ନିଖୋଜ ଥିବା ଜଣେ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ବିହାରରୁ ଉଦ୍ଧାର କରାଯାଇଛି।

କିର୍ମିରା ବ୍ଲକ ଭିମଯୋର ପଞ୍ଚାୟତର ହଣ୍ଡାତୋପା ଗ୍ରାମର ନରେନ୍ଦ୍ର ପୋଢ଼ ଦେଢ଼ ବର୍ଷ ଧରି ନିଖୋଜ ଥିଲେ। ପରିବାର ତାଙ୍କୁ ଖୋଜିବାରେ ବିଫଳ ହୋଇ ଆଶା ଛାଡ଼ିଦେଇଥିବା ବେଳେ, ହଠାତ୍ ଜିଲ୍ଲାପାଳଙ୍କ ନଜରକୁ ଏକ ଇନଷ୍ଟାଗ୍ରାମ ଭିଡିଓ ଆସିଥିଲା। ବ୍ଲଗର ଶୁଭମ ବାରିକଙ୍କ ପୋଷ୍ଟରେ ବିହାରର ବଖ୍ତିଆରପୁରରେ ଥିବା ଜଣେ ଅସହାୟ ବ୍ୟକ୍ତିଙ୍କ ଦୁରବସ୍ଥା ଦେଖାଯାଇଥିଲା, ଯିଏ ପରେ ନରେନ୍ଦ୍ର ବୋଲି ଚିହ୍ନଟ ହୋଇଥିଲେ। ଘଟଣାଟି ଦେଖିବା ସହିତ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ। ସମୟ ନଷ୍ଟ ନକରି ସେ ନିଜସ୍ୱ ଖର୍ଚ୍ଚରେ ଏକ ଉଦ୍ଧାର ଦଳ ବିହାର ପଠାଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ପିପୁଲ୍ସ ଫୋରମ୍ ଏନଜିଓ ଓ ସ୍ଥାନୀୟ ପୋଲିସଙ୍କ ସମନ୍ୱୟରେ ନରେନ୍ଦ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଜିଲ୍ଲାପାଳ ଶ୍ରୀ ଚହ୍ବାଣ କହିଛନ୍ତି ଯେ, “ପ୍ରଶାସନର ସୀମା ଥାଇପାରେ, କିନ୍ତୁ ମାନବିକତାର କୌଣସି ସୀମା ନାହିଁ। ‘ସ୍ନେହ ସେତୁ’ର ଲକ୍ଷ୍ୟ ହେଉଛି ସମାଜର ଶେଷ ପାହାଚରେ ଥିବା ଲୋକଙ୍କୁ ସହାୟତା ପହଞ୍ଚାଇବା।” ସେ ଆହୁରି କହିଛନ୍ତି ଯେ, ନରେନ୍ଦ୍ରଙ୍କୁ ଉଚିତ ଚିକିତ୍ସା ଓ କାଉନସେଲିଂ ଯୋଗାଇ ତାଙ୍କୁ ପୁଣି ସାଧାରଣ ଜୀବନରେ ଫେରାଇବା ଉଦ୍ୟମ କରାଯିବ। ନରେନ୍ଦ୍ରଙ୍କୁ ପୁଣିଥରେ ଫେରି ପାଇ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କ ଭାଇ ସୁରେନ୍ଦ୍ର ପୋଢ଼ ଜିଲ୍ଲାପାଳଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇ କହିଛନ୍ତି ଯେ, ଏହି ସହାୟତା ସେମାନଙ୍କ ପାଇଁ ଅମୂଲ୍ୟ।

ବର୍ତ୍ତମାନ ନରେନ୍ଦ୍ରଙ୍କୁ ଝାରସୁଗୁଡ଼ାରେ ଆଶାଲୋକ-୧ ରେ ରଖାଯାଇ ତାଙ୍କ ଚିକିତ୍ସା ଓ ପୁନର୍ବାସନ ବ୍ୟବସ୍ଥା କରାଯାଉଛି। ‘ସ୍ନେହ ସେତୁ’ ଅଭିଯାନ ଆଜି ଝାରସୁଗୁଡ଼ାରେ ଏକ ଭରସାର ପରିଚୟ ହୋଇଉଠିଛି, ଯାହା ନିଖୋଜ ଓ ନିରାଶ୍ରୟ ଲୋକଙ୍କ ପାଇଁ ଆଶାର ନୂଆ ଆଲୋକ ଜଳାଇଛି l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande