ପରିମଳ କର୍ମଚାରୀଙ୍କ ପାଇଁ ବିଶ୍ରାମସ୍ଥଳୀ ଉତ୍ସର୍ଗ କଲା ବି ଏମ୍ ସି
Bhubaneswar, 21 ଏପ୍ରିଲ୍ (ହି.ସ.) ମହାନଗର ନିଗମ କର୍ତ୍ତୃପକ୍ଷ ସଫେଇ କର୍ମଚାରୀଙ୍କ ପାଇଁ ଦୁଇଟି ଆଟେଣ୍ଡେନ୍ସ କିଓସ୍କ ତଥା ବହୁମୁଖୀ ବିଶ୍ରାମସ୍ଥଳୀ ଉତ୍ସର୍ଗ କରିଛନ୍ତି । ଆଜି ବିଧାୟକ ଭୁବନେଶ୍ୱର ମଧ୍ୟ, ଅନନ୍ତ ନାରାୟଣ ଜେନା, ମେୟର ଶ୍ରୀମତୀ ସୁଲୋଚନା ଦାସ, ଅଧ୍ୟକ୍ଷ ଫାଇନାନ୍ସ ଓ ଟାକ୍
ପରିମଳ କର୍ମଚାରୀଙ୍କ ପାଇଁ ବିଶ୍ରାମସ୍ଥଳୀ ଉତ୍ସର୍ଗ କଲା ବି ଏମ୍ ସି


Bhubaneswar, 21 ଏପ୍ରିଲ୍ (ହି.ସ.)

ମହାନଗର ନିଗମ କର୍ତ୍ତୃପକ୍ଷ ସଫେଇ କର୍ମଚାରୀଙ୍କ ପାଇଁ ଦୁଇଟି ଆଟେଣ୍ଡେନ୍ସ କିଓସ୍କ ତଥା ବହୁମୁଖୀ ବିଶ୍ରାମସ୍ଥଳୀ ଉତ୍ସର୍ଗ କରିଛନ୍ତି । ଆଜି ବିଧାୟକ ଭୁବନେଶ୍ୱର ମଧ୍ୟ, ଅନନ୍ତ ନାରାୟଣ ଜେନା, ମେୟର ଶ୍ରୀମତୀ ସୁଲୋଚନା ଦାସ, ଅଧ୍ୟକ୍ଷ ଫାଇନାନ୍ସ ଓ ଟାକ୍ସେସନ ତଥା 30 ନମ୍ବର ଓ୍ୱାର୍ଡର କର୍ପୋରେଟରରାଜକିଶୋର ଦାସ, ବିଶିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି, ଅତିରିକ୍ତ କମିଶନର ରତ୍ନାକର ସାହୁ, ପରିମଳ ଡେପୁଟି କମିଶନର ଏନ୍. ଗଣେଶ ବାବୁ, ପରିମଳ ନିର୍ବାହୀ ଯନ୍ତ୍ରୀ ବିପ୍ଲବ କିଷାନ ପ୍ରମୁଖ ମଂଚାସୀନ ଥିଲେ । ସେହିପରି 23 ନମ୍ବର ଓ୍ୱାର୍ଡ ବହୁମୁଖୀ ବିଶ୍ରାମସ୍ଥଳୀ ଉଦ୍ଘାଟନ କାର୍ଯ୍ୟକ୍ରମରେ 23 ନମ୍ବର ଓ୍ୱାର୍ଡର କର୍ପୋରେଟର ଶ୍ରୀମତୀ କିରଣବାଳା ମାଝୀ ସାମିଲ ହୋଇଥିଲେ ।

ଏକ ନିର୍ଦ୍ଦିଷ୍ଟ ୱାର୍ଡର ସଫେଇ କର୍ମଚାରୀମାନେ ପ୍ରତିଦିନ ଉପସ୍ଥିତି ଏବଂ ସୁପରଭାଇଜରଙ୍କ ସହ ସମନ୍ୱୟ ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଆସନ୍ତି, ସେମାନଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ସୁରକ୍ଷିତ ସ୍ଥାନ ଜରୁରୀ ମନେକରି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ବିଭିନ୍ନ ୱାର୍ଡରେ ସଫେଇ କର୍ମଚାରୀଙ୍କ ପାଇଁ ଆଟେଣ୍ଡେନ୍ସ କିଓସ୍କ-ତଥା ବହୁ ମୁଖୀ ବିଶ୍ରାମ ଗୃହ ନିର୍ମାଣ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି, ଯାହାର ଉଦ୍ଦେଶ୍ୟ ହେଉଛି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସମସ୍ତଙ୍କୁ ଏକାଠି କରିବା ସହିତ ମୌଳିକ ସୁବିଧା ଏବଂ ଯେ କୌଣସି ଋତୁରେ ବା ପାଗରେ ସଫେଇ କର୍ମଚାରୀଙ୍କୁ ସୁରକ୍ଷା, ବିଶେଷକରି ଗ୍ରୀଷ୍ମ ଋତୁ ଏବଂ ପ୍ରଚଳିତ ଗରମ ପରିସ୍ଥିତିରେ ସହାୟତା କରିବା ପାଇଁ ଏପରି ଉଦ୍ୟମ କରାଯାଇଛି । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଅତ୍ୟାବଶ୍ୟକ ନାଗରିକ ସେବାରେ ନିୟୋଜିତ ସଫେଇ କର୍ମଚାରୀଙ୍କ ସାମଗ୍ରିକ କାର୍ଯ୍ୟ ପରିବେଶ, କଲ୍ୟାଣ ଏବଂ କାର୍ଯ୍ୟକ୍ଷମ ଦକ୍ଷତାକୁ ଉନ୍ନତ କରିବା।

ଏକ ପାଇଲଟ୍ ପ୍ରକଳ୍ପ ଭାବେ, BMCର ୱାର୍ଡ ନମ୍ବର 30 (ଦକ୍ଷିଣ-ପୂର୍ବ ଜୋନ୍) ଏବଂ ୱାର୍ଡ ନମ୍ବର 23 (ଦକ୍ଷିଣ-ପଶ୍ଚିମ ଜୋନ୍) ରେ ଏହିପରି ଦୁଇଟି ବହୁମୁଖୀ ବିଶ୍ରାମ ସେଡ୍ ନିର୍ମାଣ କରାଯାଇଛି । ଏହି ସୁବିଧାଗୁଡ଼ିକ ଡ୍ୟୁଟି ସମୟରେ ସଫେଇ କର୍ମଚାରୀମାନଙ୍କୁ ବିଶ୍ରାମ ସ୍ଥାନ ଏବଂ ଆଶ୍ରୟ ପ୍ରଦାନ କରିବା ସହିତ ଉପସ୍ଥିତି କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ଏହାକୁ ଏକ ମଡେଲ ଭାବେ ଗ୍ରହଣ କରାଯାଇଛି । ଆଗାମୀ ଦିନରେ ଅନ୍ୟାନ୍ୟ ଓ୍ୱାର୍ଡରେ ଏହି ପରି ବହୁମୁଖୀ ବିଶ୍ରାମସ୍ଥଳ ନିର୍ମାଣ ହେବାର ଯୋଜନା ରହିଛି । ଏକ କାଳୀନ ପ୍ରାୟ 20 ଜଣ କର୍ମଚାରୀ କିଓସ୍କରେ ବିଶ୍ରାମ ନେଇପାରିବେ । ଏହି ପଦକ୍ଷେପ ପରିମଳ କର୍ମଚାରୀଙ୍କ ମନୋବଳକୁ ବୃଦ୍ଧି କରିବ ଏବଂ ସେମାନଙ୍କ କଲ୍ୟାଣ ଓ ଉନ୍ନତ ସେବା ପ୍ରଦାନ ପ୍ରତି BMCର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande