
ବିକାଶ ର ରାସ୍ତା ଭୁଲିଗଲା ଖଡ଼ିଆଳ ବ୍ଲକ
ନୂଆପଡ଼ା,୨୧ ଏପ୍ରିଲ (ହି.ସ.)- ନୂଆପଡା ଜିଲ୍ଲାର ଏକ ପ୍ରମୁଖ ବ୍ଲକ ଭାବରେ ପରିଚିତ ଖଡ଼ିଆଳ ବ୍ଲକ ଛବିଶ ଗୋଟି ପଞ୍ଚାୟତକୁ ନେଇ ଗଠିତ। ଜିଲ୍ଲା ହେବାର ସମସ୍ତ ସମସ୍ତ ଯୋଗ୍ୟତା ଥିବା ଏହି ବ୍ଲକ ସବଡ଼ିଭିଜନ ମାନ୍ୟତା ପାଇବାରୁ ମଧ୍ୟ ବଞ୍ଚିତ ହୋଇ ରହିଯାଇଛି । ଏହି ବ୍ଲକର ଛବିଶ ଗୋଟି ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ସମସ୍ୟାର ସମାଧାନ ହୋଇ ଆସୁଥିଲା । ଲୋକେ ଖୁସିରେ ପ୍ରଗତିର ସ୍ବପ୍ନ ଦେଖି ଖୁସି ମଧ୍ୟ ହେଉଥିଲେ । ହେଲେ ଗତ ଦୁଇ ବର୍ଷ ମଧ୍ୟରେ ସତରେ ଖଡ଼ିଆଳ ପାଇଁ କେଉଁ ଅଭିଶାପ ଗ୍ରାସ କରିଛି ବିକାଶ ସତେ ଉଭେଇ ଯାଇଛି । ଆମେ ଆଜି ବିଶେଷ କରି ଖଡ଼ିଆଳ ପଞ୍ଚାୟତ ସମିତି ଅଧିନରେ ଆସୁଥିବା ବିଭିନ୍ନ ସମସ୍ୟା ଉପରେ ଆପଣଙ୍କ ସାମ୍ନାକୁ ଆଣିବାକୁ ପ୍ରୟାସ କରିଛୁ l ଉପସ୍ଥାପନ ଆମର କିନ୍ତୁ ଅଭିଯୋଗ ଖଡ଼ିଆଳ ଅଞ୍ଚଳବାସୀଙ୍କ । ଦେଶ ସ୍ବାଧୀନତାର ମାତ୍ର କିଛି ବର୍ଷ ପରେ ବ୍ଲକ ମାନ୍ୟତା ପାଇଥିବା ଏହି ବ୍ଲକର ବାସ୍ତବିକତାକୁ ଦେଖିଲେ ଆପଣଙ୍କୁ ବିଶ୍ୱାସ ହେବ ନାହିଁ ସତେ ଏମିତି ବି ହୋଇପାରେ । କିନ୍ତୁ ହଁ ଏହା ହିଁ ସତ୍ୟ ୧୯୫୪ ମସିହାରେ ସ୍ଥାପିତ ଓଡିଶାର ସର୍ବପୁରାତନ ବ୍ଲକ ମଧ୍ୟରୁ ଖଡ଼ିଆଳ ଅନ୍ୟତମ । ନୂତନ ଜିଲ୍ଲା ସମ୍ପ୍ରସାରଣ ସମୟରେ ଏହି ବ୍ଲକ ରାଜନୀତିର ପଶାପାଲିରେ ପେଷି ହୋଇ ଜିଲ୍ଲାରୁ ବଞ୍ଚିତ ହୋଇଗଲା । ଗୋଟିଏ ପଞ୍ଚାୟତ ମୁଖ୍ୟାଳୟ ଜିଲ୍ଲା ମାନ୍ୟତା ପାଇଲା । ଏଠିକାର ଲୋକେ ନିରାଶ ହୋଇ ପୁଣି ଉତ୍ସାହିତ ହେଲେ ଯେ ଖଡ଼ିଆଳ ସବ ଡିଭିଜନ ମାନ୍ୟତା ପାଇବ, ହେଲେ ଆଜି ଯାଏଁ ତାହା ସ୍ବପ୍ନରେ ରହିଗଲା । ବ୍ଲକ ବିକାଶ କଥା ଯଦି ଆମେ ଚିନ୍ତା କରିବା ନିଜସ୍ୱ କାର୍ଯ୍ୟାଳୟ ନହେବାରୁ ବେସରକାରୀ ଜମିରେ ବ୍ଲକ କାର୍ଯ୍ୟାଳୟ ପରିଚାଲିତ ହେଉଛି। ଯଦି ବ୍ଲକ କାର୍ଯ୍ୟାଳୟ ବିକାଶ ଏତିକି ତେବେ ଛବିଶ ପଞ୍ଚାୟତର ବିକାଶ କଥା ନକହିବା ଭଲ । କାଗଜ କଲମରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି ସତ ହେଲେ ତାହା କେବଳ ଠିକାଦାର କୁଜିନେତା ଓ ସରକାରୀ ବାବୁଙ୍କ ପକେଟ ଗରମ ପାଇଁ ବୋଲି ଜନସାଧାରଣ ଲୋକେ ଚର୍ଚ୍ଚା କରୁଛନ୍ତି । ବିଶେଷ କରି ବିଭିନ୍ନ ଗାଁର ମୌଳିକ ସମସ୍ୟାର ସମାଧାନ ହେବା କାଠିକାର ପାଠ ହୋଇଯାଇଛି । ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସହ ଜନ ପ୍ରତିନିଧିଙ୍କ ଉପସ୍ଥିତି ନକହିବା ଭଲ । ସୂଚନା ଅନୁସାରେ ପୂର୍ବତନ ବିଡ଼ିଓ ବିରସେନ ବେହେରାଙ୍କ ବଦଳି ପରେ ବ୍ଲକ ଗୋଟିଏ ପ୍ରକାର ମୁରବି ବିହିନୀ ହୋଇଯାଇଥିଲା । ପାଖାପାଖି ଏକ ବର୍ଷ ପରେ ନୂତନ ସ୍ଥାୟୀ ବିଡ଼ିଓ ଭାବରେ ମିଳନ କୁମାର ଝାଙ୍କର ଯୋଗଦେଇଥିଲେ । ବିଡ଼ିଓଙ୍କ ଯୋଗାଦାନ ପରେ ବିଭିନ୍ନ ସମସ୍ୟାର ସମାଧାନ ହେବ ଖଡ଼ିଆଳ ପ୍ରଗତି ବ୍ଲକ ପ୍ରଗତିପଥେ ପୁଣି ଦୌଡିବ ବୋଲି ଲୋକଙ୍କ ମନରେ ଆଶା ସଂଚାର ହେଲା l। ହେଲେ ବିଡ଼ିଓଙ୍କ ଯୋଗଦାନର ଦୀର୍ଘ ଛଅରୁ ସାତ ମାସ ବିତିଯାଇଥିଲେ ହେଁ, ଖଡ଼ିଆଳ ବ୍ଲକର ବିଭିନ୍ନ ସମସ୍ୟାର ସମାଧାନ ହୋଇ ପାରୁନାହିଁ । ଏମିତି ନୂତନ ବିଡ଼ିଓଙ୍କ ଯୋଗଦାନ ପରେ ବ୍ଲକ ପରିସର, ରାଜୀବ ଗାନ୍ଧି ସେବାକେନ୍ଦ୍ର କୋଠାରେ ପରିଚାଳିତ ସ୍ଥଳରେ କାର୍ଯ୍ୟର ଅନୁଧ୍ୟାନ ପାଇଁ ସିସି ଟିଭି କେମେରା ଲଗେଇଲେ । ଲୋକେ ଭାବିଲେ ସମସ୍ତ କର୍ମଚାରୀ ଠିକ ସମୟରେ ଆସିବେ, ଲୋକେ ସୁବିଧାରେ ନିଜ କାମ କରି ପାରିବେ । ହେଲେ ବିଡମ୍ବନାର ବିଷୟ ବ୍ଲକ କାର୍ଯ୍ୟାଳୟର ସରକାରୀ ଅନେକ କର୍ମଚାରୀ ଅଫିସ ଆସିବା ଯିବା ସମୟ ଭୁଲିଗଲେ । ଏଉପରେ ବିଡ଼ିଓ, ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଗଲା । କିଛି ଦିନ ପରିସ୍ଥିତି ସ୍ବାଭାବିକ ପୁଣି ଯଥା ପୂର୍ବଂ ତଥା ପରମ ହୋଇ ଯାଇଛି। ଏମିତି ଖୁଦ ବିଡ଼ିଓ ମଧ୍ୟ ବ୍ୟକ୍ତିଗତ ହେଉ କିମ୍ବା ସରକାରୀ କାର୍ଯ୍ୟରେ ବ୍ୟସ୍ଥ ରହି କାଁ ଭାଁ କାର୍ଯ୍ୟାଳୟରେ ବସୁଥିବା ଯୋଗୁଁ ସାଧାରଣ ଲୋକେ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତି କି ବ୍ଲକ ଅଧକ୍ଷା ଉପାଧକ୍ଷଙ୍କ କାର୍ଯ୍ୟାଳୟ ମଧ୍ୟ ପ୍ରାୟ ବନ୍ଦ ରହୁଥିବାରୁ ଲୋକେ ଅଭିଯୋଗ ନେଇ ଆସୁଥିବା ହିତାଧିକାରୀ ନିରାଶ ହୋଇ ଫେରୁଛନ୍ତି । ବର୍ତ୍ତମାନ ଖଡ଼ିଆଳ ରେ ଅସହ୍ୟ ଗରମ ହେଉଥିବା ବେଳେ ବ୍ଲକ ପରିସରରେ ଜଳଛତ୍ରର ବ୍ୟବସ୍ଥା ନେଇ ବିଡ଼ିଓଙ୍କ ଠାରୁ ନେଇ ଜନ ପ୍ରତିନିଧି ଅଧକ୍ଷାଙ୍କୁ ଜଣାଇଥିଲେ ହେଁ ପିଇବା ପାଣିର କୌଣସି ବ୍ୟବସ୍ଥା ହୋଇ ପାରିନାହିଁ । ଏଥିରୁ ସ୍ପଷ୍ଟ ଯେ ବ୍ଲକର ପରିସ୍ଥିତି କେମିତି ଥିବ । ଏଥି ପ୍ରତି ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାର ଧ୍ୟାନ ଦେଇ ଖଡ଼ିଆଳ ବ୍ଲକକୁ ପ୍ରଗତିପଥେ ନେବା ଜରୁରୀ ହୋଇ ପଡିଛି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ