
ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)- ଓଡ଼ିଶାରେ ଏସ୍.ଆଇ.ଆର୍. କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଇଲେକ୍ଟର ମ୍ୟାପିଂ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ରାଜ୍ୟର ୯ଲକ୍ଷ ୮୦ ହଜାର ଭୋଟରଙ୍କ ନାମ ଭୋଟର ତାଲିକାରୁ କଟି ଯାଇଛି । ବର୍ତମାନ ସୁଦ୍ଧା ବାଦ୍ ପଡ଼ିଥିବା ଭୋଟରଙ୍କ ମଧ୍ୟରୁ ୨ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ଏହା ବିରୁଦ୍ଧରେ ଆପତି ଉଠାଇ ସେମାନଙ୍କ ନାମ ପୁନଃ ଭୋଟର ତାଲିକାରେ ଦରଜ କରିବା ପାଇଁ ଅବେଦନ କରିଛନ୍ତି। ସେହିଭଳି ଆହୁରି ବହୁ ଲୋକ କାମ ଧନ୍ଦା ପାଇଁ ବାହାର ରାଜ୍ୟକୁ ଯାଇ ପରିବାରର ଭରଣପୋଷଣ କରିଥାଆନ୍ତି ଏବଂ ନିର୍ବାଚନ ସମୟରେ ନିଜ ଗାଁ/ସହରକୁ ଆସି ଭୋଟ ଦେଇଥାନ୍ତି। ସେମାନେ ରାଜ୍ୟର ନିୟମିତ ଭୋଟର। ତେଣୁ ରାଜ୍ୟ ନିର୍ବାଚନ କମିଶନ ଯେଉଁମାନଙ୍କ ନାମ କାଟିଛନ୍ତି ତାହା ଅନ୍ୟାୟ ଓ ଅଯୌକ୍ତିକ। ରାଜ୍ୟ ନିର୍ବାଚନ ଅଧିକାରୀ କଟିଥିବା ନାମ ଗୁଡ଼ିକୁ ପୁନଃ ଭୋଟର ତାଲିକାରେ ନିଜ ପକ୍ଷରୁ ସ୍ଥାପିତ କରନ୍ତୁ। ଘରକୁ ଘର ବୁଲି ଭୋଟରମାନଙ୍କ ସଂପର୍କରେ ପ୍ରକୃତ ତଥ୍ୟ ସଂଗ୍ରହ କରିବା ସହ କାହାର ନାମ କାଟିବା ପୂର୍ବରୁ ରାଜନୈତିକ ଦଳମାନଙ୍କ ଦ୍ୱାରା ନିଯୁକ୍ତ ବୁଥ ସ୍ତରୀୟ ଏଜେଂଟ ମାନଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ।
ଚା ଯୁକ୍ତିଯୁକ୍ତ ଭୋଟରମାନଙ୍କ ନାମ ଏଭଳି ଏକପାଖିଆ ଭାବେ ଭୋଟର ତାଲିକାରୁ କାଟିବା ଭଳି ଯେଉଁ କାର୍ଯ୍ୟ ନିର୍ବାଚନ କମିଶନ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଜରିଆରେ ଯେଭଳି କରିଛନ୍ତି ତା’ର ଦୃଢ ନିନ୍ଦା ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟି କରୁଛି। ଭୋଟର ତାଲିକା ବାର୍ଷିକ ସଂଶୋଧନ ପ୍ରକ୍ରିୟାକୁ ସି.ପି.ଆଇ.(ଏମ୍) ବିରୋଧ କରେନାହିଁ। କିନ୍ତୁ ରାଜ୍ୟରେ ଏସ୍.ଆଇ.ଆର୍.କୁ ସି.ପି.ଆଇ.(ଏମ୍) ବିରୋଧ କରୁଛି। ଭୋଟର ତାଲିକାରୁ ନାମ କାଟି ଦିଆଯିବା ଘଟଣାରେ ମଙ୍ଗଳବାର ଅନୁଷ୍ଠିତ ସି.ପି.ଆଇ.(ଏମ୍) ରାଜ୍ୟ ସଂପାଦକମଣ୍ଡଳୀ ବୈଠକ ଗଭୀର ଉଦ୍ବେଗ ପ୍ରକାଶ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା