
କେନ୍ଦ୍ରାପଡ଼ା, ୨୧ ଏପ୍ରିଲ୍(ହି.ସ.) – ଜୟବାୟୁ ପରିବର୍ତନ ପାଇଁ କୃଷି କାର୍ୟ୍ୟ ବାଧାପ୍ରାପ୍ତ ହେଉଛି। ଏହାଦ୍ୱାରା ଚାଷୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ଆମକୁ ଜଳବାୟୁ ପରିବର୍ତନକୁ ଭିତିକରି ଚାଷ କାର୍ୟ୍ୟ କରିବାକୁ ପଡିବ। ଏହା ନହେଲେ ଆମେ କୃଷିରେ ବିଶେଷ ଉନ୍ନତି କରିପାରିବା ନାହିଁ ବୋଲି ପୂର୍ବତନ କୃଷିମନ୍ତ୍ରୀ ଅମର ପ୍ରସାଦ ଶତପଥି ମତବ୍ୟକ୍ତ କରିଛନ୍ତି । କୃଷକ ବିକାଶ ସମବାୟ ସମିତି ପକ୍ଷରୁ କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ ଆୟୋଜିତ ବିରାଟ ଚାଷୀ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଶତପଥି କହିଲେ ଆମ ଦେଶରୁ ଇଟାଲୀ ଓ ଜର୍ମାନୀକୁ ଆମ୍ବ ରପ୍ତାନୀ ହେଉଛି । ଏହାଦ୍ୱାରା ଆମ ଚାଷୀମାନେ ଲାଭବାନ ହେଉଛନ୍ତି। କିନ୍ତୁ ଜଳବାୟୁ ପରିବର୍ତନ କୃଷକଙ୍କ ମେରୁଦଣ୍ଡକୁ ଦୁର୍ବଳ କରିଦେଉଛି। ତେଣୁ ଜଳବାୟୁ ପରିବର୍ତନକୁ ଆଧାର କରି ଚାଷକାର୍ୟ୍ୟ ହେବ ଉଚିତ ବୋଲି ସେ କହିଛନ୍ତି। ଏହି କାର୍ୟ୍ୟକ୍ରମରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସୁଦର୍ଶନ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଲେ ଦେଶ ସ୍ୱାଧୀନତା ହେବା ବେଳେ ଭାରତର ଜନସଂଖ୍ୟା ୩୦ କୋଟି ଥିଲା। ସେ ସମୟରେ ଆମେ ଖାଦ୍ୟାଭାବର ଶିକାର ହୋଇଥିଲୁ। ଆମେରିକାରେ ଯେଉଁ ଗହମକୁ ଲୋକେ ଖାଉ ନଥିଲେ ଆମ ସରକାର ସେହି ଗହମ ଆଣି ଆମକୁ ଖାଇବାକୁ ଦେଉଥିଲେ। ହେଲେ ଏବେ ଦେଶର ଜନସଂଖ୍ୟା ୧୪୦ କୋଟିରେ ପହଂଚିଲାଣି। କିନ୍ତୁ ଆମେ ଚାଷ କାର୍ଯ୍ୟରେ ବହୁ ଊର୍ଦ୍ଧ୍ୱକୁ ଯାଇ ବିଦେଶକୁ ଖାଦ୍ୟ ପଦାର୍ଥ ରପ୍ତାନୀ କରୁଛୁ। ଆମ ପୂର୍ବପୁରୁଷଙ୍କ ପାଖରେ କୃଷି ସମ୍ବନ୍ଧୀୟ ଯେଉଁ ଜ୍ଞାନ ଥିଲା ତାହା ଆଜି କୃଷି ବିଜ୍ଞାନୀଙ୍କ ନିକଟରେ ନାହିଁ। ତେଣୁ ଆମେ ଚାଷ କାର୍ୟ୍ୟରେ ଏବେ ପଛୁଆ ଅଛୁ ବୋଲି ସେ କହିଥିଲେ। ଏହି କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଇସିଏଆରସିଆଇଡବ୍ଲ୍ୟୁର ମୁଖ୍ୟ ବୈଜ୍ଞାନିକ ଓ ବିଭାଗୀୟ ଅଧ୍ୟକ୍ଷ ଡ. ଅରୁଣ କୁମାର ପଣ୍ଡା ଯୋଗଦେଇ କହିଲେ ଚାଷୀମାନେ ହେଉଛନ୍ତି ଅନ୍ନଦାତା । ସାରା ଭାରତକୁ ସେମାନେ ଖାଦ୍ୟ ଯୋଗାଉଛନ୍ତି । କୃଷିକ୍ଷେତ୍ରରେ ମହିଳାମାନେ ସମସ୍ୟାରେ ପଡୁଛନ୍ତି । କାରଣ ସେମାନଙ୍କ ନିକଟରେ ଜମିଗତ ଅଧିକାର ନାହିଁ। ତେଣୁ ଆମ ସରକାର ଏହାକୁ ହୃଦୟଙ୍ଗମ କରି ଏହାର ପ୍ରତିକାର ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ମହିଳା ସଶକ୍ତିକରଣ ଦିଗରେ କାର୍ୟ୍ୟ କରୁଛି। ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଯୋଗଦେଇ କହିଲେ ଓଡ଼ିଶାର ଚାଷୀମାନେ କେବଳ ପେଟ ଭରିବା ପାଇଁ ଚାଷ କାର୍ୟ୍ୟ କରୁଛନ୍ତି। ବ୍ୟବସାୟକୁ ଆଧାର କରି ଆମେ ଚାଷ କାର୍ଯ୍ୟ କରୁନହୁଁ। ତେଣୁ ଚାଷ କାର୍ୟ୍ୟ କରି ଓଡ଼ିଶାର ଚାଷୀମାନେ ଆôର୍ଥକ ମାନଦଣ୍ଡକୁ ସୁଦୃଢ କରିପାରୁନାହାଁନ୍ତି । ତେଣୁ ଆମ ପିଲାମାନେ ଚାଷ କାର୍ୟ୍ୟ କରିବା ପାଇଁ ଭଲ ପାଉନାହାଁନ୍ତି। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା କୃଷି ଅଧିକାରୀ ହେମନ୍ତ ସାମଲ କହିଲେ ଏବେ ରାସାୟନିକ ସାରକୁ କୃଷିକ୍ଷେତ୍ରରେ କମ କରିବା ପାଇଁ ୩୦ ପ୍ରତିଶତ ଜୈବିକ ସାର ବ୍ୟବହାର କରିବା ପାଇଁ ଚାଷୀମାନଙ୍କୁ କୁହାଯାଉଛି। ଜୈବିକ ଚାଷ କରିବା ଦ୍ୱାରା କୃଷିକ୍ଷେତ୍ରର ଉର୍ବରତା ବଜାୟ ରହିବ ବୋଲି ସେ କହିଥିଲେ । ସମବାୟ ସମିତିର ସଭାପତି ବିଶିଷ୍ଟ ଚାଷୀ ନେତା ତଥା ସମବାୟବିତ ପ୍ରମୋଦ କୁମାର ସାହୁ ଅଧ୍ୟକ୍ଷତା କରି କହିଲେ ରାଜ୍ୟରେ ଯେପରି ଓମଫେଡ, ଓପଲଫେଡ ହୋଇଛି ସେହିଭଳି ଭାବେ ଭେଜ ଫେଡ କରାଯାଉ। ଏହାଦ୍ୱାରା ଚାଷ କାର୍ୟ୍ୟ କରିବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରିବେ। ଫଳରେ ରାଜ୍ୟରୁ ଦାଦନ ଶ୍ରମିକଙ୍କ ସଂଖ୍ୟା ହ୍ରାସ ପାଇବ । କୃଷିକ୍ଷେତ୍ର ପାଇଁ ପ୍ରଣୟନ ହେଉଥିବା ଯୋଜନାଗୁଡିକ ଏସି ରୁମରେ ସ୍ଥିର କରା ନ ଯାଇ ତୃଣମୂଳ ସ୍ତରରୁ ଚାଷୀ ଓ ଚାଷୀମାନଙ୍କ ପାଇଁ କାର୍ୟ୍ୟ କରୁଥିବା ସଂଗଠନଗୁଡିକ ସହିତ ସମନ୍ୱୟ ରକ୍ଷା କରି ଯୋଜନା ପ୍ରଣୟନ କଲେ ହିତାଧିକାରୀମାନେ ସୁଫଳ ପାଇ ପାରିବେ। ଏହି କାର୍ୟ୍ୟକ୍ରମରେ ସମିତିର ଉପସଭାନେତ୍ରୀ ପାର୍ବତୀ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ମନୋଜ ସାହୁ ବାର୍ଷିକ ବିବରଣି ପାଠ କରିଥିଲେ। ଏହି ଅବସରରେ ଚାଷ କାର୍ୟ୍ୟରେ ଉତ୍କର୍ଷତା ଲାଭ କରିଥିବା ବିଭିନ୍ନ ବର୍ଗର ଚାଷୀ ଓ ସମବାୟ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ସମବାୟବିତ ଓ ସଂଗଠନର କର୍ମକର୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମିତିର ନିର୍ଦ୍ଦେଶକ ଅଭୟ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାବେଶରେ ଅଭିଭକ୍ତ କଟକ ଜିଲାର ୫୦୦ରୁ ଊର୍ଦ୍ଧ୍ୱ ଚାଷୀ ଯୋଗଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି