
ବଲାଙ୍ଗୀର, ୨୧ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ ନେତୃତ୍ୱରେ ଆଜି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କୁଳପତି କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ଘେରାଓ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଛାତ୍ର ଛାତ୍ରୀଙ୍କ ଦୁଇଟି ମୁଖ୍ୟ ଦାବିକୁ ନେଇ ଏହି ଆନ୍ଦୋଳନ ହୋଇଥିଲା। ପ୍ରଥମ ଦାବି ଭାବେ ଯୁକ୍ତ ୩ ଚତୁର୍ଥ ସେମିଷ୍ଟାର ପରୀକ୍ଷା କୁ ସ୍ଥଗିତ କରି ତାହାର ତାରିଖକୁ ଆଗକୁ ବଢାଇବାକୁ ଦାବି କରାଯାଇଥିଲା। ଦ୍ୱିତୀୟତଃ ବଲାଙ୍ଗିର ଜିଲ୍ଲାରେ ଚାଲୁଥିବା ଅତ୍ୟଧିକ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ବିଶ୍ୱ ବିଦ୍ୟାଳୟକୁ ତତ୍କାଳ ବନ୍ଦ କରିବା ପାଇଁ ଦାବି ଉଠିଥିଲା। ଏହି ଆନ୍ଦୋଳନକୁ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ବେହେରାଙ୍କ ନେତୃତ୍ୱରେ ସୁଚାରୁ ଭାବେ ସଂଗଠିତ କରାଯାଇଥିଲା। ତାଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ସଦସ୍ୟମାନେ ଦୃଢ ଭାବରେ ଏହି ଦୁଇଟି ଦାବିକୁ ଉପସ୍ଥାପନା କରି ଆନ୍ଦୋଳନକୁ ଶକ୍ତିଶାଳି କରିଥିଲେ। ବିକ୍ଷୋଭ ସମୟରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଉତ୍ସାହପୂର୍ଣ୍ଣ ଭାବରେ ଅଂଶଗ୍ରହଣ କରି ନିଜ ଅଧିକାର ପାଇଁ ସ୍ୱର ଉଠାଇଥିଲେ। ବିଶେଷ କଥା ହେଉଛି ଏହି ଦାବିକୁ କେବଳ ଛାତ୍ର କଂଗ୍ରେସ ପକ୍ଷରୁ ମାତ୍ର ଉଠା ଯାଇଥିଲା ଏବଂ ଏହା ପାଇଁ ସଂଗଠନ ପକ୍ଷରୁ ଲଗାତାର ପ୍ରୟାସ ଜାରି ରହିଥିଲା। ଛାତ୍ର କଂଗ୍ରେସ ପକ୍ଷରୁ ଜଣାଇଯାଇଛି ଯେ, ଚିନ୍ମୟ ବେହେରାଙ୍କ ସକ୍ରିୟ ପଦକ୍ଷେପ ଓ ଦୃଢ ନେତୃୃତ୍ୱର ଫଳ ସ୍ୱରୁପ ବିଶ୍ୱ ବିଦ୍ୟାଳୟ ପ୍ରଶାସନ ଛାତ୍ରମାନଙ୍କ ଦାବିକୁ ସକାରାତ୍ମକ ଭାବେ ଗ୍ରହଣ କରିଛି। ଏହାର ପରିଣାମସ୍ୱରୁପ ଯୁକ୍ତ ୩ ଚତୁର୍ଥ ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ କରାଯାଇ ତାହାର ତାରିଖକୁ ଆଗକୁ ଘୁଂଚାଯାଇଛି। ଏହି ସଫଳତାକୁ ଛାତ୍ର କଂଗ୍ରେସ ତାଙ୍କର ଏକତା, ସଂଘର୍ଷ ଓ ଛାତ୍ରହିତ ପ୍ରତିବଦ୍ଧତାର ଜୟ ବୋଲି ବର୍ଣ୍ଣାନା କରିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ