
ଝାରସୁଗୁଡ଼ା, ୨୧ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଇବ୍ ଓ ଭେଡେନ ନଦୀରୁ ଏସଏମସି ପାୱାର ଜେନେରେସନ କମ୍ପାନୀ ପକ୍ଷରୁ ଅଣ-ମୌସୁମୀ ସମୟରେ ଜଳ ଉତ୍ତୋଳନ ହେଉଥିବା ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଚରମସୀମାକୁ ପହଞ୍ଚିଛି। ଏହାକୁ ବିରୋଧ କରି ହିର୍ମା, ବଡ଼ମାଳ, ଜମେରା ଓ ମରାକୁଟା ପଞ୍ଚାୟତର ଶତାଧିକ ଗ୍ରାମବାସୀ ସୋମବାର ରାତିରୁ ଆରମ୍ଭ କରି ମଙ୍ଗଳବାର ପର୍ଯ୍ୟନ୍ତ କମ୍ପାନୀର ପମ୍ପ ହାଉସ ସମ୍ମୁଖରେ ଧାରଣା ଜାରି ରଖିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ପ୍ରାୟ ୪୫ ଡିଗ୍ରୀ ତାପମାତ୍ରା ସତ୍ତ୍ୱେ ମହିଳାମାନଙ୍କ ସହ ଗ୍ରାମବାସୀଙ୍କ ଏହି ଆନ୍ଦୋଳନ ଅବ୍ୟାହତ ରହିଛି। ନଦୀର ଜଳସ୍ତର କ୍ରମେ ହ୍ରାସ ପାଇବାରୁ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଗୁରୁତର ରୂପ ନେଇଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ନଦୀରେ ପାଣି କମିଯିବାରୁ ଦୈନିକ ଜୀବନ ଜଟିଳ ହୋଇପଡ଼ିଛି ଓ ଗୃହପାଳିତ ପଶୁପକ୍ଷୀମାନେ ମଧ୍ୟ ଜଳାଭାବରେ ପୀଡ଼ିତ। ଧାରଣା ସ୍ଥଳରେ କେତେକ ସମୟରେ ଉତ୍ତେଜନା ମଧ୍ୟ ଦେଖାଦେଇଛି। ପୋଲିସ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ଚାପ ପକାଯାଉଥିବା ଅଭିଯୋଗ ହୋଇଥିବା ବେଳେ ପୋଲିସ ଅଧିକାରୀମାନେ କମ୍ପାନୀ ପାଖରେ ସରକାରୀ ଅନୁମତି ଥିବା କହୁଛନ୍ତି। ତେବେ ଗ୍ରାମବାସୀମାନେ ସେହି ଅନୁମତି ପତ୍ର ପ୍ରଦର୍ଶନ କରିବାକୁ ଦାବି କରି ଧାରଣା ଜାରି ରଖିଛନ୍ତି।
ଏ ସନ୍ଦର୍ଭରେ ଉପଜିଲ୍ଲାପାଳ କହିଛନ୍ତି ଯେ, ଜଳସେଚନ ବିଭାଗ ପକ୍ଷରୁ ତଦନ୍ତ କାର୍ଯ୍ୟ ସମ୍ପନ୍ନ ହୋଇଛି ଓ ରିପୋର୍ଟ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ ଯେ, ୨୦୨୦ ମସିହାରୁ ଜଳସମ୍ପଦ ବିଭାଗ ଅଣ-ମୌସୁମୀ ସମୟରେ ନଦୀରୁ ଜଳ ଉତ୍ତୋଳନ ଉପରେ ପ୍ରତିବନ୍ଧ ଲାଗୁ କରିଛି। ସେହିପରି ୨୦୨୫ ମାର୍ଚ୍ଚ ୧୩ ତାରିଖରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଓ ଜରିମାନା ହେବ ବୋଲି ସତର୍କ କରିଥିଲେ। ତଥାପି ଏହି ନିର୍ଦ୍ଦେଶ ଅନୁପାଳନ ହେଉନଥିବାରୁ ଅଞ୍ଚଳବାସୀଙ୍କ ଅସନ୍ତୋଷ ବଢ଼ୁଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ସମସ୍ୟାର ସ୍ଥାୟୀ ସମାଧାନ ନ ହେବାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ଶୀଘ୍ର ବେଆଇନ ଜଳ ଉତ୍ତୋଳନ ବନ୍ଦ କରାଯିବ ନାହିଁ, ତେବେ ଆଗାମୀ ଦିନରେ ବ୍ୟାପକ ଗଣଆନ୍ଦୋଳନ ହେବ ବୋଲି ସେମାନେ ସଚେତନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ