ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ରେ ସାମୂହିକ ବିବାହ ଉତ୍ସବ: ୧୨ ଜଣ ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ରେ ସାମୂହିକ ବିବାହ ଉତ୍ସବ: ୧୨ ଜଣ ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ନୂଆପଡ଼ା, ୨୧ ଏପ୍ରିଲ (ହି.ସ.)- ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଲିଙ୍ଗଗତ ସମାନତା ପ୍ରତି ପ୍ରତିବଦ୍ଧତାର ଏକ ଅଗ୍ରଗାମୀ ପଦକ୍ଷେପ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତ
Mukhyamantri kanya bibhaha


ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ରେ ସାମୂହିକ ବିବାହ ଉତ୍ସବ: ୧୨ ଜଣ ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ

ନୂଆପଡ଼ା, ୨୧ ଏପ୍ରିଲ (ହି.ସ.)- ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଲିଙ୍ଗଗତ ସମାନତା ପ୍ରତି ପ୍ରତିବଦ୍ଧତାର ଏକ ଅଗ୍ରଗାମୀ ପଦକ୍ଷେପ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ନୂଆପଡ଼ା ଜିଲ୍ଲାରେ ସାମୂହିକ ବିବାହ ଉତ୍ସବ ଭବ୍ୟ ଭାବେ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଆମସେନା ସ୍ଥିତ ଗୁରୁକୁଳ ଆଶ୍ରମ ପ୍ରାଙ୍ଗଣରେ ଆୟୋଜିତ ଏହି ପବିତ୍ର କାର୍ଯ୍ୟକ୍ରମରେ ୧୨ ଜଣ ଦମ୍ପତି ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି କାର୍ଯ୍ୟକ୍ରମଟି ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ଖଡ଼ିଆଳ ଅଞ୍ଚଳର ୟାର ଅନୁଷ୍ଠାନଙ୍କ ସଂଯୁକ୍ତ ଆୟୋଜନରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ବିଧାୟକ ଜୟ ଧୋଲକିଆ ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ଜଣାଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ମଧୁସୂଦନ ଦାଶ, ଡିଏଫଓ (ବନ୍ୟପ୍ରାଣୀ) ସମୀର ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ। ଏହି ଅବସରରେ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଖରିଆର ରୋଡ୍ ଏନଏସି ଅଧ୍ୟକ୍ଷା ଡ଼ା. ସୋନିଆ ଜୈନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଗୁରୁକୁଳ ସଂସ୍ଥାପକ ଧର୍ମାନନ୍ଦ ସରସ୍ୱତୀ, ୟାର ସଂଗଠନ ମୁଖ୍ୟ ମହେନ୍ଦ୍ର ଜୋଶୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଦମ୍ପତିମାନଙ୍କ ଆତ୍ମୀୟ-ସ୍ୱଜନମାନେ ଉପସ୍ଥିତ ଥିଲେ। ବିବାହ ସମ୍ପନ୍ନ ପରେ, ଯୋଜନା ଅନୁଯାୟୀ ପ୍ରତ୍ୟେକ ଦମ୍ପତିଙ୍କୁ ୪୫ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ଏହା ସହିତ ବିଧାୟକ ଜୟ ଧୋଲକିଆ ପ୍ରତ୍ୟେକ ଦମ୍ପତିଙ୍କୁ ଅତିରିକ୍ତ ୧,୧୦୦ ଟଙ୍କା ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ନିଜ ୨୫ତମ ବିବାହ ବାର୍ଷିକି ପାଳନ କରି ନବଦମ୍ପତି ମାନଙ୍କୁ ପ୍ରେରଣା ଦେଇଥିଲେ ଏବଂ ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଆର୍ଥିକ ସହାୟତା ନୁହେଁ, ଏହା ସାମାଜିକ ସୁରକ୍ଷା ଓ ମହିଳା ସଶକ୍ତୀକରଣ ଦିଗରେ ରାଜ୍ୟ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ। ଏହା ବାଲ୍ୟ ବିବାହ ଓ ଯୌତୁକ ପ୍ରଥା ନିବାରଣ କରିବା ସହ ସମାଜରେ ସଚେତନତା ସୃଷ୍ଟି କରୁଛି। ଏହି ଯୋଜନା ମାଧ୍ୟମରେ ଓଡ଼ିଶାର ୨୭ଟି ଜିଲ୍ଲାରେ ୧,୦୦୦ରୁ ଅଧିକ କନ୍ୟାଙ୍କ ସାମୂହିକ ବିବାହ ସଫଳତାର ସହ ସମ୍ପନ୍ନ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande