
ରାଉରକେଲା, ୨୧ ଅପ୍ରେଲ (ହି.ସ.)- ଆଜି ଇସ୍ପାତ ସହର ରାଉରକେଲା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ଲାନେଟାରିୟମ ଓ ମ୍ୟୁଜିୟମର ହେବ ଉଦଘାଟନ । ପୋଲିସ ଛାଉଣିରେ ଇସ୍ପାତ ସହର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶାର ରାଉରକେଲା ଗସ୍ତ କରି ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ । ପୂର୍ବାହ୍ନ ପ୍ରାୟ ୧୧ଟା ୫ ମିନିଟରେ ସେ ଇସ୍ପାତ ସହରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି ।
ରାଉରକେଲା ୱାନ୍' ପ୍ରକଳ୍ପ ଅଧୀନରେ ଏକ ଇଂଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଂଟ୍ରୋଲ୍ ସେଂଟର, ଏକ ଜନଜାତି ସଂଗ୍ରହାଳୟ ଏବଂ ଏକ ପ୍ରେକ୍ଷାଳୟର ଉଦ୍ଘାଟନ କରିବେ ରାଷ୍ଟ୍ରପତି । କୋଏଲ ନଗରରେ ଏକ ବିଶାଳ ପାର୍କ ଏବଂ ଛେଣ୍ଡ କଲୋନୀରେ ଏକ ପ୍ଲାନେଟାରିୟମର ମଧ୍ୟ ଶୁଭାରମ୍ଭ କରିବେ । ଏଥିସହ ରାଷ୍ଟ୍ରପତି ପାନପୋଷ ସର୍କିଟ୍ ହାଉସରେ ବିଭିନ୍ନ ସଂଗଠନର ପ୍ରତିନିଧିମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ଅବସରରେ ସେକ୍ଟର ୧୩ ପଡିଆରେ ନିଜ ଅଭିଭାଷଣ ରଖିବେ ରାଷ୍ଟ୍ରପତି । ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ, ଯେଉଁଥିରେ ସୁନ୍ଦରଗଡ଼ ଜିଲ୍ଲାର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ସାମିଲ୍ ହେବାର ଆଶା କରାଯାଉଛି ।
ପ୍ରକାଶ ଥାଉକି, ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗତକାଲି କଟକଣା ଜାରି କରିଥିଲେ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର । ବିମାନବନ୍ଦର ଅଂଚଳ, ଟ୍ରାଇବାଲ ମ୍ୟୁଜିୟମ, ସର୍କିଟ ହାଉସ ସମେତ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ଥିବା ଅଂଚଳକୁ ନୋ ଡ୍ରୋନ ଜୋନ ବା ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି । ସେସବୁ ଅଂଚଳରେ ଡ୍ରୋନ ବା ବିମାନ ଉଡାଣ କରିପାରିବ ନାହିଁ । ଏହି କଟକଣା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବଳବତର ରହିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ