
ଝାରସୁଗୁଡ଼ା/ରାଉରକେଲା, ୨୧ ଅପ୍ରେଲ (ହି.ସ.)- ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆଜି ପ୍ରଥମେ ଝାରସୁଗୁଡ଼ାରେ ଆସି ପହଂଚିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ବାୟୁସେନାର ହେଲିକପ୍ଟର ଯୋଗେ ରାଉରକେଲାରେ ପହଂଚିଛନ୍ତି । ପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଦେଶାତ୍ମକ ସଂଗୀତ ସହ ସାନ୍ତାଳୀ, କରମା, ସମ୍ବଲପୁରୀ ଓ ଓଡିଶୀ ନାଚରେ ୨୫୦୦ ଛାତ୍ରଛାତ୍ରୀ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଦର୍ଶକମାନଙ୍କ ତାଳିରେ କମ୍ପିଥିଲା ପୁରା ସଭାମଂଚ । ପରେ ରାଷ୍ଟ୍ରପତି ନୃତ୍ୟ ପରିବେଷଣ କରିଥିବା ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ଛାତ୍ରଛାତ୍ରୀଙ୍କ ସହ ଫଟୋ ଉଠାଇବା ସହ ହାତ ମିଳାଇଥିଲେ ।
ରାଉରକେଲା ସଭାରେ ରାଷ୍ଟ୍ରପତି କହିଛନ୍ତି ଯେ, ଓଡ଼ିଶାର ସଂସ୍କୃତି ଓ ପରମ୍ପରା ମହାନ । ସୁନ୍ଦରଗଡ଼ର କଳା ସଂସ୍କୃତି ଓଡ଼ିଶାକୁ ପରିପୂର୍ଣ୍ଣ କରିଛି । ସୁନ୍ଦରଗଡ଼ କେବଳ ସଂସ୍କୃତି ପାଇଁ ନୁହେଁ ସଂଗ୍ରାମ ପାଇଁ ବି ପରିଚିତ । ନିର୍ମଳ ମୁଣ୍ଡାଙ୍କ ସଂଗ୍ରାମ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ପରିବେଶ ପଥକୁ ନିର୍ମଳ ମୁଣ୍ଡାଙ୍କ ନାଁରେ ନାମିତ ଖୁସି ଲାଗିଲା । ହକିରେ ସୁନ୍ଦରଗଡ଼ ସାରା ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଦିଲ୍ଲୀପ ତିର୍କୀ, ଲାଜରୁସ ବାର୍ଲାଙ୍କ ପରି ଖେଳାଳି ଗୌରବ ବଢ଼ାଇଛନ୍ତି ।
ଆଦିବାସୀ ଓ ମହିଳାଙ୍କ ବିକାଶକୁ ଗୁରୁତ୍ୱ ଦେଇ ରାଷ୍ଟ୍ରପତି କହିଛନ୍ତି, ଆଦିବାସୀଙ୍କ ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଅଧିକରୁ ଅଧିକ ଏକଲବ୍ୟ ସ୍କୁଲମାନ ପ୍ରତିଷ୍ଠା କରାଯାଉଛି । ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଜନଜାତିଙ୍କ ପାଇଁ କାର୍ଯ୍ୟ କରୁଛି । ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କୁ ଆଗକୁ ନେବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ, ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ କାର୍ଯ୍ୟ ବେଶ୍ ପ୍ରଶଂସନୀୟ ରହିଛି । ରାଷ୍ଟ୍ରପତି ପ୍ରାୟ ୧୫୮ କୋଟି ଟଙ୍କା ବ୍ୟୟ ଅଟକଳରେ ଚାରିଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି । ଏଥି ମଧ୍ୟରେ ୪୮ କୋଟିର ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର, ୪୦ କୋଟିର ଆଦିବାସୀ ସଂଗ୍ରହାଳୟ, ୪୨.୪୪ କୋଟିର ନିର୍ମଳ ମୁଣ୍ଡା ପ୍ରବେଶ ପଥ ଓ ୨୭ କୋଟିର ବିଜ୍ଞାନ ପାର୍କ ଓ ପ୍ଲାନେଟାରିୟମ୍ ରହିଛି ।
ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲି ଦୁର୍ଗା ଚରଣ ତନ୍ତୀ ମଂଚରେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ