
କୋଲକାତା, ୨୧ ଅପ୍ରେଲ (ହି.ସ.)- ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ଦାବି କରିଛନ୍ତି ଯେ, ରାଜ୍ୟବାସୀ ଏଥର 'ପଦ୍ମ' ଚିହ୍ନର ସରକାର ଆଣିବାକୁ ପ୍ରସ୍ତୁତ ଅଛନ୍ତି ।
ସାମ୍ବାଦିକମାନଙ୍କ ସହ କଥାବାର୍ତା କରି ସେ କହିଛନ୍ତି ଯେ, ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ତାଙ୍କ ଦଳର ଆତ୍ମବିଶ୍ୱାସ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ସେ ଅଭିଯୋଗ କରିଛନ୍ତି ଯେ, ପଶ୍ଚିମବଙ୍ଗର ଲୋକମାନେ ଗତ ୧୫ ବର୍ଷ ମଧ୍ୟରେ ଭୟ ଏବଂ ଚାପର ରାଜନୀତି ଦେଖିଛନ୍ତି, ତେଣୁ ବର୍ତମାନ ଲୋକମାନେ ପରିବର୍ତନ ଚାହୁଁଛନ୍ତି ।
ରେଖା ଗୁପ୍ତା କହିଛନ୍ତି, ଏଥର ପଶ୍ଚିମବଙ୍ଗରେ ପଦ୍ମ ଚିହ୍ନର ସରକାର ଗଠନ ହେବାକୁ ଯାଉଛି । ମଇ ୪ ତାରିଖରେ, ଯେତେବେଳେ ଫଳାଫଳ ଆସିବ, ଏହା ଏକ ନୂଆ ସୂର୍ଯ୍ୟୋଦୟ ଭଳି ମନେହେବ, ଯେଉଁଠି ସମସ୍ତଙ୍କୁ ସମ୍ମାନ ଦିଆଯିବ ।
ସେ ରାଜ୍ୟର ବର୍ତମାନର ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ପଶ୍ଚିମବଙ୍ଗ ଅନେକ ବର୍ଷ ଧରି କଠିନ ସମୟ ଦେଇ ଗତି କରୁଛି । ବିଶେଷ କରି ମହିଳାମାନଙ୍କ ସୁରକ୍ଷାକୁ ନେଇ ସେ ଚିନ୍ତା ପ୍ରକଟ କରିବା ସହ ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ବୋଲି କହିଥିଲେ । ମହିଳା ଏବଂ ଝିଅମାନେ କିପରି ବଂଚୁଛନ୍ତି ତାହା ଏକ ବଡ଼ ପ୍ରଶ୍ନ । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଗୁଣ୍ଡାରାଜ ଚଳାଇଥିବା ଅଭିଯୋଗ ହୋଇଛି । ମହିଳାମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ଆର.ଜି. କର ଭଳି ଘଟଣା ଦର୍ଶାଉଛି ଯେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଥିବା ସତ୍ୱେ ସ୍ଥିତି ସନ୍ତୋଷଜନକ ନୁହେଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ