ଖଣି ପ୍ରଭାବିତ ଅଞ୍ଚଳର ବିକଳ ଚିତ୍ର : ବିଦ୍ୟାଳୟ ଯିବାକୁ ବିଜୁଳି ଖୁଣ୍ଟ ଭରଷା, ଡିଏମଏଫ ପାଣ୍ଠି କାହା ପାଇଁ ?
ବଲାଣି, ୨୧ ଏପ୍ରିଲ (ହି.ସ.) - ଖଣି ଉନ୍ନତିର ଚାକଚକ୍ୟ ମଧ୍ୟରେ ଲୁଚି ରହିଛି ଏକ କଷ୍ଟଦାୟକ ସତ୍ୟ। ଖଣି ଦ୍ୱାରା ପ୍ରତ୍ୟକ୍ଷ ପ୍ରଭାବିତ ବଡ଼ବିଲ ପୌରପାଳିକା ଅଧୀନ ଚମ୍ପୁଆ ବସ୍ତି ସହ ବଲାଣି ଗ୍ରାମ ପଞ୍ଚାୟତର ଡୁମୃତା ଓ ଶଙ୍ଖଝର ଗ୍ରାମର ଲୋକମାନେ ଆଜିବି ମୌଳିକ ସୁବିଧାରୁ ବଞ୍ଚିତ। ବିଶେଷକରି ଏହି ଅଞ୍
ବିଦ୍ୟାଳୟ ଯିବାକୁ ବିଜୁଳି ଖୁଣ୍ଟ ଭରଷା


ବଲାଣି, ୨୧ ଏପ୍ରିଲ (ହି.ସ.) - ଖଣି ଉନ୍ନତିର ଚାକଚକ୍ୟ ମଧ୍ୟରେ ଲୁଚି ରହିଛି ଏକ କଷ୍ଟଦାୟକ ସତ୍ୟ। ଖଣି ଦ୍ୱାରା ପ୍ରତ୍ୟକ୍ଷ ପ୍ରଭାବିତ ବଡ଼ବିଲ ପୌରପାଳିକା ଅଧୀନ ଚମ୍ପୁଆ ବସ୍ତି ସହ ବଲାଣି ଗ୍ରାମ ପଞ୍ଚାୟତର ଡୁମୃତା ଓ ଶଙ୍ଖଝର ଗ୍ରାମର ଲୋକମାନେ ଆଜିବି ମୌଳିକ ସୁବିଧାରୁ ବଞ୍ଚିତ। ବିଶେଷକରି ଏହି ଅଞ୍ଚଳର କୁନି କୁନି ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଯିବା ଏକ ଦୈନନ୍ଦିନ ସଂଘର୍ଷର ରୂପ ନେଇଛି।

ବାଲାଗୋଡ଼ା ସ୍ଥିତ ବିଭିନ୍ନ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ନିଜ ଗ୍ରାମରୁ ସବୁଠାରୁ କମ୍ ଦୂରତା ବିଶିଷ୍ଟ ରାସ୍ତା ବ୍ୟବହାର କରି ବିଦ୍ୟାଳୟକୁ ଯିବାକୁ ଚାହୁଁଥିଲେ ମଧ୍ୟ ମଝିରେ କାରୋ ନଦୀ ବଡ଼ ବାଧା ସୃଷ୍ଟି କରୁଛି। ଏହି ନଦୀ ଉପରେ ସ୍ଥାୟୀ ପୋଲ ନଥିବାରୁ ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ଜୀବନକୁ ବାଜି ଲଗାଇ ବିପଦ ସଂକୁଳ ଏକ ଭଙ୍ଗା ବିଦ୍ୟୁତ ଖୁଣ୍ଟକୁ ପୋଲ ଭାବେ ବ୍ୟବହାର କରୁଛନ୍ତି।

ଏହି ଦୃଶ୍ୟ ଯେକୌଣସି ସଚେତନ ମଣିଷଙ୍କୁ ଉତ୍କଣ୍ଠିତ କରିବା ପାଇଁ ପର୍ଯ୍ୟାପ୍ତ। ସଂକୀର୍ଣ୍ଣ ଓ ଅସ୍ଥିର ବିଦ୍ୟୁତ ଖୁଣ୍ଟ ଉପରେ ଚାଲି ନଦୀ ପାର କରୁଥିବା କୁନି ଛାତ୍ରଛାତ୍ରୀଙ୍କ ଜୀବନ ସଦା ବିପଦରେ ରହୁଛି। ଅନେକ ସମୟରେ ପାଦ ଖସି ନଦୀରେ ପଡ଼ି ଆହତ ହେବା ଘଟଣା ଘଟିଥିବା ସତ୍ତ୍ୱେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଇନାହିଁ।

ବର୍ଷା ଋତୁରେ ଅବସ୍ଥା ଅଧିକ ଦୟାନୀୟ ହୋଇଯାଏ। ନଦୀ ଫୁଲିଯାଇ ଏହି ରାସ୍ତା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଏ। ଫଳରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ଦୂରତା ବିଶିଷ୍ଟ ମୁଖ୍ୟ ରାସ୍ତା ଦେଇ ଯାଇବାକୁ ବାଧ୍ୟ ହେଉଛନ୍ତି, ଯାହା ସମୟ ସହିତ ଶାରୀରିକ ଓ ଆର୍ଥିକ ଭାବେ ମଧ୍ୟ ଭାର ପକାଉଛି।

ଗୋଟିଏ ପକ୍ଷରେ ଖଣି ମାଧ୍ୟମରେ ସରକାର କୋଟି କୋଟି ଟଙ୍କା ରାଜସ୍ୱ ଆର୍ଜନ କରୁଥିବା ବେଳେ ଅନ୍ୟ ପଟେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ୍) ନାମରେ ବ୍ୟାପକ ପାଣ୍ଠି ସଂଗ୍ରହ ହେଉଛି। କିନ୍ତୁ ଯେଉଁ ଅଞ୍ଚଳ ସର୍ବାଧିକ ପ୍ରଭାବିତ, ସେଠାରେ ଏପରି ଦୁରବସ୍ଥା ଦେଖିବାକୁ ମିଳିବା ଡିଏମଏଫ ପାଣ୍ଠିର ବ୍ୟବହାର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଯଦି ଡିଏମଏଫ ପାଣ୍ଠିର ସଠିକ ବିନିଯୋଗ ହୋଇଥାନ୍ତା, ତେବେ ଏଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବା କଷ୍ଟକର ନୁହେଁ। ସେମାନେ ଶୀଘ୍ର ଏକ ସୁରକ୍ଷିତ ଓ ସ୍ଥାୟୀ ପୋଲ ନିର୍ମାଣ ପାଇଁ ପ୍ରଶାସନଙ୍କୁ ଦାବି କରିଛନ୍ତି।

ଏହି ଘଟଣା ଖଣି ପ୍ରଭାବିତ ଅଞ୍ଚଳର ଉନ୍ନତିର ଯଥାର୍ଥ ଚିତ୍ରକୁ ସାମ୍ନାକୁ ଆଣିଛି—ଯେଉଁଠାରେ ସମ୍ପଦ ରହିଛି, କିନ୍ତୁ ସୁବିଧା ଅଭାବରେ ଲୋକମାନେ ଆଜିବି ମୌଳିକ ଅଧିକାର ପାଇଁ ସଂଘର୍ଷ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande