
କୋଲକାତା, ୨୧ ଅପ୍ରେଲ (ହି.ସ.)- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ-୨୦୨୬ ର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାରର ଶେଷ ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିନ ଦାର୍ଜିଲିଂର କାର୍ସିୟାଙ୍ଗରେ ଏକ ଜନସଭାକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ଗୋର୍ଖା ସମ୍ପ୍ରଦାୟର ସମସ୍ୟା, ମହିଳାଙ୍କ ସୁରକ୍ଷା, ଅନୁପ୍ରବେଶ ବନ୍ଦ କରିବା ଏବଂ ଉତର ବଙ୍ଗର ବିକାଶ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଦେଇଥିଲେ ।
ଅମିତ ଶାହା ଦାବି କରିଛନ୍ତି ଯେ, ଏଥର ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାକୁ ଯାଉଛି ଏବଂ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରର ବିଦାୟ ସ୍ଥିର ହୋଇଛି । ସେ କହିଥିଲେ ଯେ, ଲୋକମାନେ ପରିବର୍ତନ ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ଆଗାମୀ ନିର୍ବାଚନ ରାଜ୍ୟର ଗତିପଥ ନିର୍ଦ୍ଧାରଣ କରିବ ।
ଗୋର୍ଖା ସମ୍ପ୍ରଦାୟକୁ ଆଶ୍ଵାସନା :-
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ଯଦି ବିଜେପି ସରକାର ଗଠନ କରେ ତେବେ ଗୋର୍ଖା ସମ୍ପ୍ରଦାୟର ଦୀର୍ଘ ଦିନ ଧରି ପଡ଼ି ରହିଥିବା ସମସ୍ୟାର ସମାଧାନ ହେବ । ସେ ଏହା ମଧ୍ୟ ଦାବି କରିଥିଲେ ଯେ, ଖୁବ୍ ଶୀଘ୍ର ଏପରି ଏକ ସମାଧାନ ବାହାରିବ ଯାହା ଗୋର୍ଖା ସମ୍ପ୍ରଦାୟକୁ ସନ୍ତୁଷ୍ଟ କରିବ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବ ।
ସେ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ବର୍ଷ ବର୍ଷ ଧରି ଦାର୍ଜିଲିଂ ଏବଂ ଗୋର୍ଖା ସମାଜକୁ ନ୍ୟାୟ ଦେଇନଥିଲେ, ଯେଉଁଥିପାଇଁ ଏହି ଅଂଚଳ ବିକାଶରୁ ବଂଚିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ