
ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)- ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀ ଜଣେ ସତ୍ୟନିଷ୍ଠ, ନିଷ୍କଳଙ୍କ ଓ ଆଦର୍ଶ ରାଜନେତା ଭାବେ ଓଡ଼ିଶାର ରାଜନୈତିକ ଇତିହାସରେ ଅମର ରହିବେ। ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନ, ନୀତିନିଷ୍ଠ ନେତୃତ୍ୱ ଓ ସମାଜସେବା ଆଜିର ପିଢ଼ି ପାଇଁ ପ୍ରେରଣାଦାୟକ ବୋଲି ତାଙ୍କ ଜୟନ୍ତୀ ଅବସରରେ ମତ ପ୍ରକାଶ ପାଇଥିଲା।
ଏହି ଅବସରରେ ମଙ୍ଗଳବାର ସକାଳ ସମୟରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ଛକରେ ଡଃ ସଦାଶିବ ତ୍ରିପାଠୀଙ୍କ ପ୍ରତିମୂର୍ତିରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।
ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢ଼ାଲି, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂହ, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଶବରୀ ସାଂସ୍କୃତିକ ସଂସଦର ଉପସଭାପତି ଇଞ୍ଜିନିୟର ଗୋଦାବରିଶ ମିଶ୍ର ଓ ସଂସଦର ଅନ୍ୟାନ୍ୟ କର୍ମକର୍ତାମାନେ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ। ଏହାସହ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଡଃ ସଦାଶିବ ତ୍ରିପାଠୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା