
ନୂଆଦିଲ୍ଲୀ, 24 ଏପ୍ରିଲ (ହି.ସ.)। ପଞ୍ଜାବରେ କ୍ଷମତାସୀନ ଆମ ଆଦମୀ ପାର୍ଟି
(ଆଆପା)ର ରାଜ୍ୟସଭାର ସାତଜଣ ସଦସ୍ୟ ନିଜ ଦଳର ସଦସ୍ୟତାରୁ ପଦତ୍ୟାଗ କରି ଭାରତୀୟ ଜନତା ପାର୍ଟି
(ବିଜେପି)ରେ ମିଶିବାକୁ ନିଷ୍ପତି ନେଇଛନ୍ତି।
ପାର୍ଟିର
ସାଂସଦ—ରାଘବ ଚଡ୍ଡା, ଅଶୋକ ମିତ୍ତଲ ଏବଂ
ସନ୍ଦୀପ ପାଠକ ଶୁକ୍ରବାର ଏଠାରେ ସଂବିଧାନ କ୍ଲବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର
ଘୋଷଣା କରିଛନ୍ତି। ଚଡ୍ଡା କହିଛନ୍ତି, “ରାଜ୍ୟସଭାରେ ଆଆପାର 10ଜଣ ସାଂସଦ ଅଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶରୁ ଅଧିକ ଆମ ସହିତ ଅଛନ୍ତି।
ସେମାନେ ଠିକ କରିଛନ୍ତି ଏବଂ ଆଜି ସକାଳେ ଆମେ ରାଜ୍ୟସଭାର ସଭାପତିଙ୍କୁ ସ୍ୱାକ୍ଷର ପତ୍ର ଏବଂ
ଡକ୍ୟୁମେଣ୍ଟ ଦେଇଛୁ। ସେମାନଙ୍କ ମଧ୍ୟରୁ 3ଜଣ ଏଠାରେ ଆପଣମାନଙ୍କ ସମ୍ମୁଖରେ ଅଛନ୍ତି। ଆମ ସହିତ
ହରଭଜନ ସିଂହ, ରାଜିନ୍ଦର ଗୁପ୍ତା, ବିକ୍ରମ ସାହନୀ ଏବଂ ସ୍ୱାତି ମାଲିୱାଲ ମଧ୍ୟ ଅଛନ୍ତି।”
ରାଘବ ଚଡ୍ଡା କହିଛନ୍ତି, “ଆଆପା, ଯାହାକୁ ମୁଁ ମୋର ରକ୍ତ-ଝାଳରେ ଗଢ଼ିଛି ଏବଂ ମୋର ଯୁବାବସ୍ଥାର 15 ବର୍ଷ ଦେଇଛି, ଏବେ ତାହା ନିଜର ସିଦ୍ଧାନ୍ତ, ମୂଲ୍ୟବୋଧ ଏବଂ ମୂଳ ନୀତିରୁ ଭ୍ରଷ୍ଟ ହୋଇଯାଇଛି। ଏବେ ଏହି ପାର୍ଟି
ଦେଶର ହିତରେ ନୁହେଁ, ବରଂ ନିଜସ୍ୱ
ସ୍ୱାର୍ଥ ପାଇଁ କାମ କରୁଛି । ଗତ କିଛି ବର୍ଷ ଧରି ମୋତେ ଏହା ଅନୁଭବ ହେଉଥିଲା ଯେ ମୁଁ ଭୁଲ
ପାର୍ଟିରେ ଠିକ୍ ଲୋକ ଅଟେ। ସେଥିପାଇଁ ଆଜି ଆମେ ଏହା ଘୋଷଣା କରୁଛୁ ଯେ ମୁଁ ଆଆପାରୁ ନିଜକୁ
ଅଲଗା କରୁଛି ଏବଂ ଜନତାଙ୍କ ନିକଟକୁ ଯାଉଛି।”
ସଂସଦର ଉଚ୍ଚ ସଦନରେ
ଆଆପାର ପୂର୍ବତନ ଉପନେତା ଥିବା ଚଡ୍ଡା କହିଛନ୍ତି, “ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ ରାଜ୍ୟସଭାରେ ଆଆପାର ଦୁଇ-ତୃତୀୟାଂଶ
ସଦସ୍ୟ ଭାରତୀୟ ସଂବିଧାନର ପ୍ରାବଧାନକୁ ଅନୁସରଣ କରି (ଏକ ପାର୍ଟି ଭାବେ) ନିଜକୁ ବିଜେପିରେ
ମିଶାଇଦେବୁ।”
ରାଘବ ଚଡ୍ଡା କହିଛନ୍ତି, “ଗତ 12 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ
କେନ୍ଦ୍ର ସରକାର ଏମିତି ଅନେକ ନିଷ୍ପତି ନେଇଛି ଯାହା ପୂର୍ବରୁ ଅନେକ ନେତା ନେବାକୁ ଭୟ
କରୁଥିଲେ। ଏହି ନେତୃତ୍ୱକୁ ଜନତା ଗୋଟିଏଥର ନୁହେଁ, ତିନିଥର ସମର୍ଥନ ଦେଇଛନ୍ତି। ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ
ନେତୃତ୍ୱରେ ଦେଶ ପାଇଁ କାମ କରିବୁ।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା