
ଭୁବନେଶ୍ୱର, ୨୪ ଏପ୍ରିଲ (ହି.ସ) - କଳିଙ୍ଗ ଷ୍ଟାଡିୟମଠାରେ ଆସନ୍ତା ଏପ୍ରିଲ ୨୫ ରୁ ମେ ୩ ପର୍ଯ୍ୟନ୍ତ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍ ଅନୁଷ୍ଠିତ ହେବ। ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନ (ଓଜିଏ) ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଏହି ସୂଚନା ଦିଆଯାଇଛି।
ଏହି ପ୍ରତିଯୋଗିତା ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନ, ଭାରତୀୟ ଜିମ୍ନାଷ୍ଟିକ୍ ଫେଡେରେସନ୍ (ଜିଏଫଆଇ) ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ସହଯୋଗରେ ଆୟୋଜିତ ହେଉଛି।
ଏହି ପ୍ରତିଯୋଗିତାରେ ୨୫ଟି ରାଜ୍ୟ, ୩ଟି କେନ୍ଦ୍ରଶାସିତ ଅଂଚଳ ଏବଂ ସର୍ଭିସ୍ ବୋର୍ଡର ୬୦୦ରୁ ଅଧିକ ଜିମ୍ନାଷ୍ଟ ଭାଗ ନେବେ। ପୁରୁଷ ଏବଂ ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ବର୍ଗରେ ଟିମ୍ ଚାମ୍ପିଅନସିପ୍, ବ୍ୟକ୍ତିଗତ ଅଲ-ଆରାଉଣ୍ଡ ଏବଂ ଆପାରାଟସ୍ ଫାଇନାଲ୍ ଅନୁଷ୍ଠିତ ହେବ। ପ୍ରଣତି ନାୟକ, ତପନ ମହାନ୍ତି, ଯୋଗେଶ୍ୱର ସିଂ, ଆଶିଷ କୁମାରଙ୍କ ଭଳି ଦେଶର ନାମୀଦାମୀ ଜିମ୍ନାଷ୍ଟମାନେ ଏଥିରେ ପ୍ରତିଭା ପ୍ରଦର୍ଶନ କରିବେ। ଏହି ଜାତୀୟ ଚାମ୍ପିଅନସିପ୍ ଆଧାରରେ ଆଗାମୀ ଏସୀୟ କ୍ରୀଡ଼ା , କମନୱେଲଥ ଗେମ୍ସ ଏବଂ ଏସୀୟ ଚାମ୍ପିଅନସିପ୍ ପାଇଁ ଖେଳାଳି ଚୟନ କରାଯିବ।
ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ କହିଛନ୍ତି ଯେ, ଓଡ଼ିଶା ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ବୈଜ୍ଞାନିକ ପ୍ରଶିକ୍ଷଣ ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି। ଜିମ୍ନାଷ୍ଟିକ୍ ଫେଡେରେସନର ମୁଖ୍ୟ କାର୍ଯ୍ୟନିର୍ବାହୀ କଲ୍ଲୋଳ ମୁଖାର୍ଜୀ ଏବଂ ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନର ସମ୍ପାଦକ ଅଶୋକ ସାହୁ ଏହି ପ୍ରତିଯୋଗିତାକୁ ଯୁବ ପ୍ରତିଭାଙ୍କ ପାଇଁ ଏକ ବଡ଼ ସୁଯୋଗ ବୋଲି ଅଭିହିତ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା