
ମୁଖୀଗୁଡା, ୨୮ ଏପ୍ରିଲ (ହି ସ) - କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁର ଗାଁରେ ଏକ ଅଭାବନୀୟ ତଥା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୬ ମାସର ଗର୍ଭବତୀ ମହିଳା ଏକ ମୃତ ଶିଶୁ ସନ୍ତାନ ଜନ୍ମ ଦେବା ପରେ, ଏହା ସ୍ୱାଭାବିକ ଗର୍ଭପାତ କିମ୍ବା ଏହା ପଛରେ ଅନ୍ୟ କିଛି ରହସ୍ୟ ରହିଛି ସେ ନେଇ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ସୂଚନା ଅନୁସାରେ, ଗତ ସୋମବାର ମଙ୍ଗଳପୁର ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ହଠାତ୍ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେଉଥିଲେ। ମାତ୍ର ମେଡିକାଲରେ ପହଂଚିବା ପୂର୍ବରୁ ବାଟରେ ହିଁ ମହିଳା ଜଣକ ଏକ ମୃତ ଶିଶୁ ସନ୍ତାନ ପ୍ରସବ କରିଥିଲେ। ଡାକ୍ତରଖାନାରେ ପହଂଚିବା ପରେ ଶିଶୁଟିର ମୃତ୍ୟୁକୁ ନେଇ ଡାକ୍ତରୀ ଦଳ ସନ୍ଦେହ ପ୍ରକାଶ କରିଥିଲେ, ଯାହା ପରେ ପ୍ରଶାସନ ତତ୍ପରତା ଦେଖାଇଛି।
ଏହି ଘଟଣାରେ ଜୟପାଟଣା ଥାନାରେ କେସ୍ ନମ୍ବର ୭/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
ମୃତ୍ୟୁର ପ୍ରକୃତ କାରଣ ଖୋଜିବା ପାଇଁ ଶିଶୁର ମୃତଦେହକୁ ନମୁନା ପରୀକ୍ଷା ନିମନ୍ତେ ଭବାନୀପାଟଣା ଫରେନସିକ୍ ଲ୍ୟାବ୍କୁ ପଠାଯାଇଛି। ଜୟପାଟଣା ମେଡିକାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନେ ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏକ ଡାକ୍ତରୀ ତଦନ୍ତ ଚଳାଇଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ବେଆଇନ ଗର୍ଭପାତ ଏକ ସଙ୍ଗିନ ଅପରାଧ। ସରକାରୀ ନିୟମ ଅନୁସାରେ ଗର୍ଭପାତ କରାଇବା ଓ ଏଥିରେ ସହାୟତା କରିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ ରହିଛି। ଯଦି ଫରେନସିକ୍ ରିପୋର୍ଟରେ କୌଣସି ଅପ୍ରାକୃତିକ ତଥ୍ୟ ସାମ୍ନାକୁ ଆସେ, ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
ହିନ୍ଦୁସ୍ଥାନ ସମାଚାର / ନିହାର