
ଭୁବନେଶ୍ୱର, 28 ମଇ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଚଳଚ୍ଚିତ୍ରର ଗୌରବମୟ ୯୧ ବର୍ଷ ପୂର୍ତ୍ତି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି, ଓଡ଼ିଶାର ସାଂସ୍କୃତିକ ସ୍ୱାଭିମାନ ଓ ଗୌରବମୟ ଅସ୍ମିତାର ଇତିହାସରେ ଆଜି ଏକ ସ୍ୱର୍ଣ୍ଣିମ ମୁହୂର୍ତ୍ତ। ୧୯୩୬ ମସିହା ଆଜିର ଦିନରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ର ମୁକ୍ତିଲାଭ ସହିତ ଆମ ସିନେମା ଜଗତରେ ଯେଉଁ ବିଜୟ ଯାତ୍ରାର ଅୟମାରମ୍ଭ ହୋଇଥିଲା, ସେବେଠୁ ଆଜି ଯାଏଁ ଓଡ଼ିଆ ଚଳଚ୍ଚିତ୍ର ଅସଂଖ୍ୟ ବାଧାବିଘ୍ନ ଓ ସଂଘର୍ଷକୁ ଅତିକ୍ରମ କରି ଓଡ଼ିଆ ଜାତିର କଳା, ଭାଷା ଓ ପରମ୍ପରାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଓଡ଼ିଆ ଚଳଚ୍ଚିତ୍ର କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ଆମ ସମାଜର ପ୍ରତିଛବି ଏବଂ ସାଂସ୍କୃତିକ ଜାଗରଣର ଏକ ଶକ୍ତିଶାଳୀ ସ୍ୱର। ଏହି ସମୃଦ୍ଧ ପରମ୍ପରାକୁ ଗଢ଼ିତୋଳିଥିବା ସମସ୍ତ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ପ୍ରଯୋଜକ ଓ ନେପଥ୍ୟ କୁଶଳୀଙ୍କ ଅତୁଳନୀୟ ଅବଦାନକୁ ଆଜି ମୁଁ ସମ୍ମାନର ସହ ସ୍ମରଣ କରୁଛି। ଓଡ଼ିଆ ସିନେମା ଶିଳ୍ପକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ସୃଜନଶୀଳତାର ଶୀର୍ଷକୁ ନେବା ସହ ଏହାକୁ ଏକ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ଆମେ ସଂକଳ୍ପବଦ୍ଧ। ସମଗ୍ର ଓଡ଼ିଶାବାସୀ, ସିନେପ୍ରେମୀ ଏବଂ କଳାକାର ଭାଇଭଉଣୀଙ୍କୁ ଏହି ଐତିହାସିକ ଦିବସରେ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ