
ଚମ୍ପୁଆ, ୨୮ଏପ୍ରିଲ୍ (ହି.ସ.)- କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ପଡ଼ୁଆ ଗ୍ରାମପଞ୍ଚାୟତକୁ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ 'ଆଦର୍ଶ ପଞ୍ଚାୟତ'ର ମାନ୍ୟତା ଦେବା ପାଇଁ ଯୁଦ୍ଧକାଳୀନ ଭିତିରେ ପ୍ରକ୍ରିୟା ଚାଲିଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ ଓଲଟା । ପଡ଼ୁଆ ପଞ୍ଚାୟତ ଅନ୍ତର୍ଗତ ବାଲିପଶି ଗ୍ରାମରେ ଏବେ ଜଳ ସଂକଟ ଉତ୍କଟ ରୂପ ଧାରଣ କରିଛି । ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସ୍ୱଜଳଧାରା ପ୍ରକଳ୍ପ ଅଧୀନରେ ବଡ଼ ଟାଙ୍କି ନିର୍ମାଣ କରାଯାଇଥିଲା । ସୌରଶକ୍ତି ଦ୍ୱାରା ଏହି ପ୍ରକଳ୍ପ ଚାଲିବା କଥା, କିନ୍ତୁ ଦୀର୍ଘ ଦିନ ହେବ ଏହାର ମୋଟର ଖରାପ ଯୋଗୁଁ ଅଚଳ ହୋଇ ପଡ଼ିରହିଛି । ଫଳରେ ସୌର ପ୍ୟାନେଲ୍ ଥାଇ ମଧ୍ୟ ପାଣି ପମ୍ପ ଚାଲି ପାରୁନାହିଁ । ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଭୂତଳ ଜଳସ୍ତର ହ୍ରାସ ପାଇଥିବା ବେଳେ, ଗାଁର ନଳକୂପ ଗୁଡ଼ିକ ମଧ୍ୟ କାମ କରୁନାହିଁ ।
ଲୋକେ ପିଇବା ପାଣି ଟୋପାଏ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମହିଳାମାନେ ପାଣି ମୁନ୍ଦେ ପାଇଁ କାହିଁ କେତେ ଦୂରକୁ ଯିବାକୁ ବାଧ୍ୟ ହେଉଛନ୍ତି । ଗୋଟିଏ ପଟେ ପଞ୍ଚାୟତକୁ କାଗଜପତ୍ରରେ 'ଆଦର୍ଶ' କରାଯାଉଥିବା ବେଳେ, ମୌଳିକ ସୁବିଧାରୁ ବଞ୍ଚିତ ବାଲିପଶି ଗ୍ରାମବାସୀଙ୍କ ଦୁଃଖ ଦୂର ହେବ କେବେ ? ଚମ୍ପୁଆ ବ୍ଲକ ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ଏହି ବିଷୟକୁ ଗୁରୁତ୍ୱର ସହ ନେଇ ତୁରନ୍ତ ମୋଟର ମରାମତି କରିବା ସହ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta