
କେନ୍ଦୁଝର, 28 ଏପ୍ରିଲ୍ (ହି.ସ.)ଓଡ଼ିଆ ଜାତିର ଅସ୍ମିତା, ସ୍ୱାଭିମାନ ଓ ସଂକଳ୍ପର ମୂର୍ତ୍ତିମନ୍ତ ପ୍ରତୀକ ‘ଉତ୍କଳ ଗୌରବ’ ମଧୁସୂଦନ ଦାସଙ୍କ ୧୭୮ ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମଧୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ସାଂସଦ ଶ୍ରୀ ଅନନ୍ତ ନାଏକ ଏବଂ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ମଧୁବାବୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଧୁବାବୁଙ୍କୁ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୁଖ୍ୟ ସୂତ୍ରଧାର ଭାବେ ବର୍ଣ୍ଣନା କରିବା ସହ ତାଙ୍କ ଆଦର୍ଶରେ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦେଇଛନ୍ତି।
ମଧୁବାବୁଙ୍କ ସହ କେନ୍ଦୁଝରର ଥିବା ଆତ୍ମିକ ଓ ଐତିହାସିକ ସମ୍ପର୍କକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁଝର ପ୍ରଜା ଆନ୍ଦୋଳନ ସମୟରେ ଜଣେ ବିଚକ୍ଷଣ ଓକିଲ ଭାବେ ନ୍ୟାୟ ପ୍ରଦାନରେ ମଧୁବାବୁଙ୍କ ଭୂମିକା ଅବିସ୍ମରଣୀୟ। ଏହି ମାଟିରେ ତାଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ନିଜକୁ ଧନ୍ୟ ମନେ କରିଛନ୍ତି।
ରାଜ୍ୟ ସରକାର ‘ପୂଜ୍ୟ ପୂଜା ପରମ୍ପରା’କୁ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି।ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରକୁ ଏକ ପ୍ରମୁଖ ପର୍ଯ୍ୟଟନ ଓ ପ୍ରେରଣାସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ ସରକାର ସ୍ୱତନ୍ତ୍ର ଭିତ୍ତିଭୂମି ପ୍ୟାକେଜ୍ କାର୍ଯ୍ୟକାରୀ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମଧୁବାବୁଙ୍କ ଶିଳ୍ପାୟନର ସ୍ୱପ୍ନ କୁ ସାକାର କରିବା ପାଇଁ କେନ୍ଦୁଝର ସମେତ ସମଗ୍ର ଓଡ଼ିଶାର ସ୍ଥାନୀୟ କାରିଗରଙ୍କୁ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି।
ଚଳିତ ବର୍ଷ ଉତ୍କଳ ଦିବସକୁ ବ୍ୟାପକ ଭାବେ ପାଳନ କରାଯାଇଛି ଏଣୁ ମଧୁବାବୁଙ୍କ ଭଳି ମହାପୁରୁଷଙ୍କ ବଳିଦାନକୁ ପ୍ରତିଟି ଓଡ଼ିଆଙ୍କ ପାଖରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟର ସମସ୍ତ ଉପାନ୍ତ ଅଞ୍ଚଳର ବିକାଶକୁ ମୁଖ୍ୟଧାରା ସହ ଯୋଡ଼ିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ମାଝୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାଏକ, ସମସ୍ତ ଡେପୁଟି କଲେକ୍ଟର ଓ ଆସିଷ୍ଟାଣ୍ଟ କଲେକ୍ଟର, ଜନସାଧାରଣ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA