
ମୁଖୀଗୁଡା, ୨୮ ଏପ୍ରିଲ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଧନସୁଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମ ନିକଟସ୍ଥ ଏକ ବିଲରେ ଥିବା ନିମ୍ବ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି ଜୟପାଟଣା ପୋଲିସ। ମୃତକ ଜଣକ ହେଉଛନ୍ତି ଜୁନାଗଡ଼ ଥାନା ଛୋରିଆଗଡ଼ ଅଞ୍ଚଳର ସୁବଳ ବାଗ (୫୫)।
ସୂଚନା ଅନୁଯାୟୀ, ସୁବଳ ପ୍ରାୟ ୨୫ ବର୍ଷ ହେବ ନିଜ ଗାଁ ଛାଡ଼ି ଜୟପାଟଣା ପ୍ରଧାନୀ ପଡ଼ାରେ ରହି ଆସୁଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଧନସୁଲି ଗ୍ରାମର ଏକ ବିଲରେ ଥିବା ନିମ୍ବ ଗଛରେ ବେକରେ ଦଉଡି ବନ୍ଧା ଅବସ୍ଥାରେ ସୁବଳ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା।
ଖବର ପାଇ ଜୟପାଟଣା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ପକ୍ଷରୁ ଛୋରିଆଗଡ଼ରେ ରହୁଥିବା ସୁବଳଙ୍କ ପ୍ରଥମ ପତ୍ନୀ ଓ ପରିବାରକୁ ଖବର ଦିଆଯାଇଥିଲେ ମଧ୍ୟ ସେମାନେ ଆସିବାକୁ ମନା କରିଦେଇଥିବା ଜଣାପଡ଼ିଛି। ପରବର୍ତ୍ତୀ ସମୟରେ, ଧନସୁଲି ଗାଁରେ ରହୁଥିବା ସୁବଳଙ୍କ ଦ୍ୱିତୀୟ ପତ୍ନୀଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା ଓ ପରେ ଶବ ସତ୍କାର ସମ୍ପନ୍ନ ହୋଇଛି। ଏହି ଘଟଣାରେ ଜୟପାଟଣା ପୋଲିସ କେସ୍ ନମ୍ବର ୮/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏହା ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି l
ହିନ୍ଦୁସ୍ଥାନ ସମାଚାର / ନିହାର